କରିଦିଅମତେ
କରିଦିଅମତେ
କରିଦିଅ ମତେ କ୍ଷୁଦ୍ର ଦୀପ ଟିଏ
ଜଳୁଥିବି ଦିବାନିଶି
ଅମା ଅନ୍ଧାରକୁ ଦୂରିଭୂତ କରି
ପ୍ରକାଶିବି ଜ୍ୟୋତିରାଶି
କରିଦିଅ ମତେ କ୍ଷୁଦ୍ର କଳି ଟିଏ
ମହକାଇ ଦେବି ଧରା
ସବୁରି ମନେ ଭରି ପ୍ରୀତି ସୌରଭକୁ
ବାଣ୍ଟିବି ପିୟୂଷ ଧାରା
କରିଦିଅ ମତେ କ୍ଷୁଦ୍ର ବିହଙ୍ଗମ
ଉଡୁଥିବି ଡେଣାଝାଡି
ମୁକ୍ତ ଗଗନରେ ମୁକ୍ତି ମନ୍ତ୍ର ଗାଇ
ପରାଣକୁ ମୋହି ନେବି
କରିଦିଅ ମତେ କ୍ଷୁଦ୍ର ଦୁର୍ବାଦଳ
ପଥପ୍ରାନ୍ତେ ରହିଥିବି
ବିନା ପ୍ରତିବାଦେ ପଦାଘାତ ସବୁ
ମଥାପାତି ସହିନେବି
କରିଦିଅ ମତେ କ୍ଷୁଦ୍ର ନିର୍ଝରିଣୀ
ଗିରିବୁକେ ବହୁଥିବି
ଶୀତଳ ମଧୁର ସଳୀଳ ଧାରାରେ
ତୃଷ୍ଣା ନିବାରୁଥିବି
କରିଦିଅ ମତେ କ୍ଷୁଦ୍ର ଭୃଙ୍ଗ ଟିଏ
ଫୁଲେ ଫୁଲେ ଉଡୁଥିବି
ମନ ବାସନାକୁ ଜଳାଞ୍ଜଳି ଦେଇ
ସୁଧା ରସ ବାଣ୍ଟିଦେବି
କରିଦିଅ ମତେ କ୍ଷୁଦ୍ର ତାରା ଟିଏ
ନଭରେ ବିଚରୁଥିବି
ତମସାଚ୍ଛନ୍ନ ଯାମିନୀ କୋଳେ ରହି
ଉଜ୍ଜଳ କରିବି ମହି
କରିଦିଅ ମତେ କ୍ଷୁଦ୍ର ଜଳବିନ୍ଦୁ
ମେଘ କୋଣେ ରହିଥିବି
ନଦୀ ପ୍ରବାହରେ ଭାସିଯାଇ ମୁହିଁ
ସାଗରେ ବିଲୀନ ହେବି
