କରିବିନି ଅନ୍ତହୀନ ଅପେକ୍ଷା
କରିବିନି ଅନ୍ତହୀନ ଅପେକ୍ଷା


ଅନ୍ତରୁ ଝୁଡିଏ ସୁଖ ଫୁଲ ତୋଳି
ବିଶ୍ୱାସ ସୂତାରେ ଗୁନ୍ଥି ,
ସେନେହ ମମତା ଅତର ଗୋଳେଇ
ଦେଇଥିଲି ପ୍ରେମ ଭେଟି I (1)
ତୁମେବିତ ୠଣୀହୋଇ ରହିନାହଁ
ପ୍ରତିଦାନେ କଲ ପୂର୍ଣ୍ଣ ,
ସମ୍ପର୍କର ମାଳ ଛଳନାରେ ଗୁନ୍ଥି
ଭେଟି ଦେଇ କଲ ଧନ୍ୟ I (2)
ହୃଦୟଟାକୁ ମୋ ଢ଼ାଲିଦେଇ ପୂରା
ନିଗିଡ଼ିକି ବୋହିଗଲି ,
ଆଶୁଆସନା ପ୍ରତିଫଳନ ବିଛେଇ
ପ୍ରତିସରଣେ ଯାଉଛ ଚାଲି I (3)
ଆଖି ପାଏନାହିଁ ମୋ ହୃଦ ଦେହୁଡି
ଆଙ୍କିଦିଏ ପ୍ରତିଲମ୍ବ ,
ଆଖି ବୁଜିଲେ ବା ଖୋଲିଲେ ଦିଶଇ
ଖାଲି ତୁମ ପ୍ରତିବିମ୍ବ। (4)
ମୁଁ ଖୋଜେ ଚେନାଏ ମାଟିର ସୁବାସ
ତୁମେ ସୋମରସ ବାସ ,
ଶାନ୍ତ କପୋତି ମୁଁ ତୁମେ ବାରମାସୀ
ବଦଳୁଛ ମାସୁ ମାସ I (5)
ଶାଶ୍ୱତ ପ୍ରେମରେ ପୂର୍ଣ୍ଣତା ଖୋଜେ ମୁଁ
ତୁମେ ଦୈହିକ ବାସନା,
ପାପୁଲି ଭରା ମୋ ସମର୍ପଣ ନେଇ
ଦିଅ ଆଞ୍ଜୁଳେ ଛଳନା I (6)
ଲକ୍ଷ୍ୟ ହୀନ ତୁମେ ନିହାତି ଖିଆଲୀ
ଭସା ବାଦଲର ଅଂଶ ,
ଯେଉଁଠି ବୋହିଲା କାଲୁଆ ପବନ
ସେଠି ଝରି ହେଲ ବଶ I (7)
ମରୁ ବାଲି ମୁଁ ଯେ ଲୋଡ଼ା ନାହିଁ ତୁମ
ବାଦଲ ଫଟା ବରଷା,
ମରୁଝର ଟିଏ ହୋଇ ରୁହ ଯଦି
ଆପଣେଇବାର ଇଛା । (8)
ଅନ୍ତର ସେନେହ ପାଇଁ କରିବିନି
ମୁଁ ଅନ୍ତହୀନ ଅପେକ୍ଷI,
ପଳାସ ଫୁଲଟି ହୋଇକି ପାରିବ
ମଲ୍ଲୀର ସୁବାସେ ମଖା I (9)
ଅଭୁଲା ସ୍ମୁରୁତି ମୁକୁତା ମୋ ହୃଦ
ଶାମୁକା ରେ ସାଇତିଛି ,
ପ୍ରତିଦାନ ଆଶା ମନରୁ କାଢିକି
ସାଗରେ ଛାଟି ଦେଇଛି I (10)