କ୍ରାନ୍ତି
କ୍ରାନ୍ତି
ରକ୍ତରେ ଲାଗିଛି ନିଆଁ, ହୃଦୟରେ ତୀବ୍ର ଜ୍ଵାଳା,
ସଂକୁଚିତ ରାଜପଥରେ ଆଜି ଅଶାନ୍ତିର ମେଳା ।
ପ୍ରଶସ୍ତ ମାନସିକତାରେ ଆଜି ଉଠୁଛି ଉଦ୍ଭ୍ରାନ୍ତି,
ପୂର୍ଣ୍ଣ ବିରାମ ଲାଗିବ ନିର୍ଯାତନାରେ, ହେବ ଆଜି କ୍ରାନ୍ତି ।
ପ୍ରଖର ନିଦାଘ ସୂର୍ଯ୍ୟର ଉତପ୍ତ କିରଣରେ ଭୂଇଁ ବିଦଗ୍ଧ,
ଉତ୍ତେଜନାର ଅଧିନସ୍ଥ ଆଜି ସଭିଙ୍କ ଶ୍ୱାସ ପ୍ରବୃଦ୍ଧ ।
ଆଜି ପରେ ଆଉ ନଥିବ କଳଙ୍କ, ନଥିବ ପୁନରାବୃତ୍ତି,
ଆଜି ହିଁ ଏକତ୍ର, ସବୁ ଜନ ମିତ୍ର, କୁଣ୍ଡଲିତ ସବୁ ଶକ୍ତି ।
ନୀରବ, ଶୀତଳ, ସୁବାସିତ ହେବ କାଲିର ସଜଳ ପାହାନ୍ତି,
ପୂର୍ଣ୍ଣ ବିରାମ ଲାଗିବ ମିଥ୍ୟାରେ, ହେବ ଆଜି କ୍ରାନ୍ତି।
