STORYMIRROR

Kulamani Sarangi

Classics

3  

Kulamani Sarangi

Classics

କୋଉଠି ଦବୁ ତୁ ଭୋଟ-ପଲ୍ଲୀ କବିତା

କୋଉଠି ଦବୁ ତୁ ଭୋଟ-ପଲ୍ଲୀ କବିତା

1 min
320


ପଲ୍ଲୀ କବିତା


ବୁଢା ପଚାରିଲା "ଗେଣ୍ଡାରେ ଦବୁ କି

ପଦୁଅଁରେ ଦବୁ ଭୋଅଟ?"

ପାକୁଆ ପାଟିରେ ହସି ବୁଢୀ କହେ

"ଯୋଉଠୁଁ ମିଳିବ ନୋଟ।


ଯେମିତି ରାମିଆ ସେମିତି ଦାମିଆ

ଭୋଅଟ ବେଳୁକୁ ଦେଖା,

ବାତିନି କରନ୍ତି,ହାତୀ ଘୋଡା ଦବୁ

ଯାତେରା ପାଟିଆ ଟୋକା।


ହାତୀ ପାଡି କାନ ତାବେଦା କରିବ

ଚାହେଁ ଜନତା ଭକୁଆ,

ଫୁସ୍ ଫାସ୍ କରି ଡେଇଁ ଚାଲିଯାଏ

ଠୁସ୍ ପାଡୁରା ଠେକୁଆ।


ଦରଦାମ୍ କାହିଁ କୋଉଠି ହେଲାଣି

ଧାନ ଦର ବଢେନାଇଁ,

ଟିଭି କାଗଜରେ ଦର କସାହୁଏ

ଚାଷୀ ରହିଥାଏ ଚାହିଁ।


ସରକାର କରେ ବାତିନି ବତାଶ,

ହତାଶ ଚାଷୀ ବାପୁଡା

ଫସଲରୁ ତାର ଖରଚ ଉଠେନି

ଋଣ, ଗାଲରେ ଚାପୁଡା।


ଗାମୁଛା ବେକରେ ଲଗେଇ ବିଚରା

ତରିଯାଏ ମରିଯାଇ,

'ଘରେ କଳିକରି ମଲା' ବୋଲି ଏଣେ

କହନ୍ତି ଏମେଲେ ଭାଇ।


ହେଲା ଟଙ୍କିକିଆ ଚାଉଳ ,ଜମିରୁ

ଅଧା ରହିଲା ପଡିଆ,

ଶୁଖିଗଲା ମହାନଦୀ, ବରଷାରେ

ଜମିରେ ଫାଟେ ନଡିଆ।


ଚାଷପାଇଁ, ବାସପାଇଁ,ଘାସପାଇଁ

ଗାଈ କୁକୁଡାଙ୍କପାଇଁ,

ଲୋନ ଦିଅନ୍ତି ସରକାରୀବାବୁ

ଟେବୁଲୁ ତଳିଆ ନେଇ।


ସବୁ ଯୋଜନାର ମଂଜ ଖାଇଗଲା

ପରସେଣ୍ଟବଣ୍ଟା ପାଲା,

ଝିଣ୍ଟିକା ମାରନ୍ତି ବଣି ପୋଷିବାକୁ

ଯିଏ ସରକାର କଲା।


ନୋଟ ନଦେଲେ ଭୋଟ ମିଳେନି,

ଜାଣନ୍ତି ଶତରଙ୍ଗିଆ,

ଗୁନ୍ଥନ୍ତି କେଂଚୁଆ,ପିଟନ୍ତି ବାଳିଆ,

ଯୋଜନା ପାଞ୍ଚବର୍ଷିଆ।"


ରେପ ମର୍ଡର କରେ ଟାଉଟର

ଘଣ୍ଟ ଘୋଡାନ୍ତି ନେତାଏ

କ୍ଷମତା ବଳରେ ବାଘ ଖସିଯାଏ

ବିରାଡି ପାହାର ଖାଏ।


ବୁଢାକହେ "ସବୁ ଜାଣିଚୁ ତ କହ

କାହାକୁ ଦବୁ ତୁ ଭୋଟ ?"

ବୁଢୀ କହେ "ଥରେ କହିଲି ପରା ହେ !

ଯିଏ ଦବ ବେଶି ନୋଟ।"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics