କୋଇଲିର କୁହୁ କୁହୁ ତାନ
କୋଇଲିର କୁହୁ କୁହୁ ତାନ
ଶୀତର ବିଦାୟ ଲଗ୍ନରେ ଆସିଛି
ବସନ୍ତ ସଜେଇ ହୋଇ,
ବୃକ୍ଷ ଓ ଲତାରେ ନବ ପଲ୍ଲବରେ
ଚୋରା ମଳୟକୁ ନେଇ।
ବଉଳକୁ ଦେଖି ହସୁଛି ବସନ୍ତ
କୋଇଲିର କୁହୁ ତାନେ,
ପତ୍ର ଝଡିଯାଏ ଚଇତାଳି ସ୍ପର୍ଶେ
ବସନ୍ତର ଆଗମନେ।
ଋତୁରାଜଙ୍କର ସୁଆଗମନରେ
ଧରା ପୁଷ୍ପ ସୁରଭିତା,
କୋଇଲି ରାଣୀ ତ ଗୀତରେ ବିଭୋର
ଗଛ ଡାଳେ ନୃତ୍ୟରତା।
ପ୍ରକୃତିର କୋଳେ ଚାରୁଲତା ଡାଳେ
ପୁଷ୍ପମୟ ଉଦ୍ଦିପନା,
ରଙ୍ଗ ବେରଙ୍ଗର କାନନ ପ୍ରାନ୍ତରେ
ଖେଳେ ନବ ଉନ୍ମାଦନା।
ନିଦାଘର ତାପ, ବର୍ଷା ବାରିପାତ
ନଥାଏ ଶୀତ ଜଡତା,
ବସନ୍ତ ପରଶେ କୁସୁମ ବି ହସେ
ସଭିଏଁ ତ ଉଲ୍ଲସିତା।
ନୂଆ ପତରରେ ପଲ୍ଲବିତ ବୃକ୍ଷ
ନମ୍ରତା ପରିପ୍ରକାଶ,
ଘନ ବାଦଲ ବି ଦୂରେ ଭାସିଯାଏ
ନିର୍ମଳ ଥାଏ ଆକାଶ।
ଗଛର ଗହଳେ ପତରର ଡାଳେ
କୋଇଲି ଦିଅଇ ବାର୍ତ୍ତା,
ବସନ୍ତ ଆଗତ ବିଜୟ ସ୍ବାଗତ
ସଙ୍ଗୀତରେ ମଧୁରତା।
ଧୀର ମଳୟର ମଧୁ ଶିହରଣ
ମୃଦୁ ମୃଦୁ ପଦଧ୍ବନୀ,
ସେପୁଷ୍ପ ସୁଗନ୍ଧେ ବାସ୍ନାୟିତ ହୋଇ
ମତୁଆଲା ଏ ଅବନୀ।
ଆଦ୍ୟ ବସନ୍ତରେ ବସନ୍ତ ପଞ୍ଚମୀ
ଆବିର୍ଭୂତା ବୀଣାପାଣି,
ପ୍ରକୃତି ସମ୍ରାଟ ଋତୁରାଜଙ୍କର
ଶୁଭମୟ ଆବାହନୀ।
ଯୂଈ,ହେନା,ମଲ୍ଲୀ କେତକୀ,ମାଳତୀ
ଆମ୍ବ ବଉଳର ବାସ,
ଦୋଳ ଗୋବିନ୍ଦଙ୍କ ବିମାନେ ଗମନ
ରାଧାକୃଷ୍ଣ ପ୍ରେମ ରାସ।।
