କଳଙ୍କିତ ଚରିତ୍ର
କଳଙ୍କିତ ଚରିତ୍ର
ମନେ ଆବିଳତା ଚିନ୍ତା କଳୁଷିତ
ମୁଖର ସେ ବଜ୍ର ବାଣ,
ଘାଇଲା କରଇ ଆତ୍ମ ସ୍ପନ୍ଦନକୁ
କେତେ ଯେ ନିଃଷ୍ପାପ ପ୍ରାଣ ।
ମଧୁର ଗରଳ ତିକ୍ତ ଭାବ ଘେନି
ଥିରି ଥିରି ହୋଇ ଗ୍ରାସେ,
ଲମ୍ପଟ ସ୍ୱଭାବ ଘେନି ଆତ୍ମ ଭାବ
ଜକ ଜକ ହୋଇ ଦିଶେ ।
ଅହଂକାର ଭରା ହୃଦୟ ବିସ୍ତାରି
ମୁରୁକି ମୁରୁକି ହସେ,
ଦୁଇ ହସ୍ତ ମେଲି ଆଲିଙ୍ଗନ କରି
ଚାଟୁ ବାକ୍ୟ ପରକାଶେ ।
କେତେ ଯେ ରମଣୀ ଅଙ୍କ-ଶାୟିନୀ
ହୁଅନ୍ତି ଅବାଧ୍ୟ ବଶେ,
ନିରୁତ୍ତର ହୋଇ କ୍ରନ୍ଦନ କରନ୍ତି
ଝୁଲଣ ସାଜି ଆବେଶେ ।
ଚରିତ୍ରରେ ଯା'ର କଳଙ୍କ ସ୍ୱଭାବ
ଚଇତାଳି ବାଆ ବହେ,
ଗଢିଉଠେ କେତେ କୀର୍ତ୍ତିରାଜ ମାନ
ଆମ ମାଟି ମାଆ କହେ ।
ନିଃଶ୍ୱାସେ ଯାହାର ଅବିଶ୍ଵାସ ଭାବ
କଳଙ୍କ ପସରା ମେଲି,
କଟାକ୍ଷ ଦୃଷ୍ଟିରେ କ୍ଷତାକ୍ତ କରଇ
ହୃଦୟର ମରୁ ବାଲି ।
ଅଧୁନା ଏହି ତ ସମାଜ ଚରିତ୍ର
ନିସ୍ପେଷିତ କରେ ପ୍ରାଣ,
ମୃତ୍ୟୁ ମୁଖରିତ ହେଉଥାଏ ପ୍ରାଣୀ
ଉପେକ୍ଷିତ ଜନ୍ତୁରାଣ ।
