କଳଙ୍କିନୀ
କଳଙ୍କିନୀ
ସମୟ ଚକ୍ରର ସ୍ରୋତ ପ୍ରଖରତା
ଖେଳାଏ ଚକା ଭଉଁରୀ.
କିଏ ଉଠିଯାଏ ଢେଉରେ ତାହାର
କିଏ ପଡେ ମୁହଁ ମାଡି. l
କିଏ ସେ ନ ଚାହେଁ ସୁନାମ ସୁଫଳ
ତାହାକି ଭାଗ୍ୟ ଚାହେଁନି?
ଶରଦ ଆକାଶ ପୁନେଇଁ ଚାନ୍ଦଟି
ହୋଇଯାଏ କଳଙ୍କିନୀ. l
ଚାନ୍ଦରେ କଳଙ୍କ ଲାଗି ଥାଉ ପଛେ
କୁହେନି କେ କଳଙ୍କିନୀ.
ବିଧିର ବିଧାନେ ବନ୍ଧା ପରା ସିଏ
ଶୀତଳେ ଭରେ ମେଦିନୀ. l
ବିନା ଦୋଷେ କଳଙ୍କିନୀ ଯେ ପାଞ୍ଚାଳୀ
ବରି ପାଞ୍ଚ ପାଞ୍ଚ ସ୍ୱାମୀ.
ସମାଜ ବୁଝିଲା ଶେଷେ ଆଖ୍ୟା ଦେଲା
ସତୀ ପତି ପରାୟଣୀ. l
କିଶୋରୀ ବୟସେ କୁନ୍ତୀ ଜନ୍ମ ଦେଲେ
ତେଜମନ୍ତ କର୍ଣ୍ଣବୀର.
କଳଙ୍କିନୀ ଦୋଷ ନ ଲାଗିବା ପାଇଁ
ଭସାଇ ଦେଲେ ସାଗର. l
ବିନା ଦୋଷେ ରାଧା କଳଙ୍କର ଟୀକା
ପିନ୍ଧିଲେ ସମାଜ ଠାରୁ.
କୃଷ୍ଣ ପ୍ରେମେ ମଜ୍ଜି ପାଗଳିନୀ ପ୍ରାୟେ
ସ୍ୱାତ୍ତିକ ପ୍ରେମ ନିଷ୍ଠାରୁ. l
କାଳର କବଳେ ହୋଇ କେ ଅତିଷ୍ଠ
ହୋଇଥାଏ କଳଙ୍କିନୀ.
ବୁଝନ୍ତିନି କେହି ତାହାର କାରଣ
ହୁଏ ସେ ଚିର ଦୁଃଖିନୀ. l
ଦୁଷ୍ଟ ଭ୍ରଷ୍ଟାଚାରି ଯୌନ ପିପାସୁଏ
କ୍ଷଣିକ ସୁଖ ବିଭୋରେ.
ସଜାଇ ଦିଅନ୍ତି ଶତ ଶତ ନାରୀ
କଳଙ୍କିନୀ ରାଜରାସ୍ତାରେ. l
ନିନ୍ଦା ଅପନିନ୍ଦା ଗଞ୍ଜଣାକୁ ଡରି
କିଏ କରେ ଆତ୍ମହତ୍ୟା.
ସମାଜରୁ ଘୃଣା ପାଇ କିଏ ବଞ୍ଚେ
ଆନ୍ଦୋଳିତେ ଅନ୍ତରାତ୍ମା. l
ଜାଣି ଶୁଣି ସିଏ ନୁହେଁ କଳଙ୍କିନୀ
କଳଙ୍କର ବଡ଼ ଟୋପା.
ସମାଜ ପିନ୍ଧାଏ ମଥାରେ ତାହାର
ନ ଥାଏ କାହାର କୃପା. l