କଳଙ୍କ
କଳଙ୍କ


କଳା ସିନା ଧୋଇ ହୁଏ
କଳଙ୍କ ତ ଧୋଇ ହୁଏ ନାହିଁ,
ଥରେ ରଚିଗଲେ ଦେହେ,
ଛାଡ଼ି ବାର ନାଆଁ ଧରେନାହିଁ ।।
କେଉଁ ଭୁଲ୍ କରିଥିଲି,
,ଆହେ କଳାକାହ୍ନୁ
ପ୍ରେମ ଜଳେ ଭସେଇଲ
ମତେ ଜାଣୁ ଜାଣୁ ।।
ହଜିଗଲା ନିଜଠାରୁ
ମୋ ନିଜ ଠିକଣା,
ପିନ୍ଧେଇଲ ମତେ ତମେ,
କଳଙ୍କ ଗହଣା ।।
ତୁମ କଳାଶ୍ରୀମୁଖକୁ
ମୁହିଁ ପରା ଭୁଲିପାରୁନାହିଁ
କଳା ସିନା ଧୋଇହୁଏ
କଳଙ୍କ ତ ଧୋଇ ହୁଏ ନାହିଁ ।।
ଗୋପରେ ପଡ଼ିଛି ହୁରି
ମୁହିଁ କାଳେ କଳଙ୍କିନୀ,
କିଏ ବା ବୁଝିବ କୁହ,
ମୁହିଁ ତୁମ ପୂଜାରିଣୀ ।।
ପାଗଲି ମୁଁ ତୁମ ପ୍ରେମେ,
ହେଲି ଯେଉଁ ଦିନୁ ,
ମୋ ପାଇଁ ସ୍ବରଗ ଅଟେ
ତୁମ ପଦରେଣୁ ।।
ପବିତ୍ର ସେ ସମ୍ପର୍କକୁ
କେହି କେବେ ବୁଝିପାରିନାହିଁ,
କଳାସିନା ଧୋଇହୁଏ କଳଙ୍କ ତ
ଧୋଇହୁଏ ନାହିଁ ।।