କଳିଯୁଗ ଛୁଆ
କଳିଯୁଗ ଛୁଆ
ବ୍ୟାପିଛି ବିଜ୍ଞାନ ଘୋଟିଛି ଅଜ୍ଞାନ ବଦଳିଛି ଚିନ୍ତାଧାରା
ସ୍ୱାର୍ଥାନ୍ଧ ଅର୍ଥାନ୍ଧ ଗର୍ବାନ୍ଧ ମାନବ ଧରା ମଣିଲାଣି ସରା ।
ଯୌଥ ପରିବାର ଭାଙ୍ଗି ଛାରଖାର ଅଣୁ ପରିବାର ଧରେ
ପତ୍ନୀ ପୁତ୍ର ପୁତ୍ରୀ କରିଣ ସମ୍ପତ୍ତି ଦୁନିଆକୁ ପଛ କରେ ।
ଜନ୍ମଦାତା ପିତା ଗର୍ଭଧାରୀ ମାତା ହୋଇଯାନ୍ତି ସାତପର
ସୀମାହୀନ ତ୍ୟାଗ ଅତୁଳ ସରାଗ ତା ପାଶେ ପାଣିର ଗାର ।
ଶିକ୍ଷିତ ନାମରେ ବିଜ୍ଞାନ ଯୁଗରେ ମମତାର କଷେ ମୂଲ୍ୟ
ହେତୁଵାଦୀ ହୋଇ ହିସାବ ମାଗଇ ପିତାଙ୍କ ମୂରବୀ ତୁଲ୍ୟ ।
ସତ୍ୟ ଶାନ୍ତି ଦୟା କ୍ଷମା ମାନବତ୍ବ ହୃଦୟରୁ ଦିଏ ଟାଳି
ଶାଳଗ୍ରାମ ଶିଳା କରେ ଘଷା ଶିଳା ସଂସ୍କୃତିକୁ ମାରି ତାଳି ।
ପିତା ଧର୍ମ ପିତା ସ୍ୱର୍ଗ ଅପବର୍ଗ ପିତାହିଁ ପରମ ତପ
ପିତା ସନ୍ତାନର ଦୃଶ୍ୟ ଭଗବାନ ହୋଇଲା ପୁରାଣ ଗପ ।
ମାତାର ବାତ୍ସଲ୍ୟ ମମତା ଅତୁଲ୍ୟ କ୍ଷଣକରେ ଦେଲା ଜାଳି
ଭାରିଜା ପ୍ରେମରେ ଆଜିସେ ଅନ୍ଧରେ ବରଷେ ଅଶ୍ରାବ୍ୟ ଗାଳି ।
ଜରାଶ୍ରମେ ନେଇ ରଖି ପିତାମାତା ବୀରପଣେ ମୋଡ଼େ ନିଶ
ବାଃ ବାଃ ବାଃ କଳି କାଳ ଛୁଆ ଧିକ ତୁମ ପଉରୁଷ ।
ଶାଶୁ ଶ୍ୱଶୁରଙ୍କ ଜୋଇଁ ଅଙ୍କରଙ୍କ ଶଳା ଶାଳୀ ପ୍ରେମେ ବାଇ
ପିତା ମାତା ଦାନ ଭୁଲିଲା କୃତଘ୍ନ ନରକ ପଥରେ ଧାଇଁ ।
ସ୍କନ୍ଧେ ହୋଇ ଉଭା କାଟିଦେଲା ଗ୍ରୀବା ହଜାଇଲା ପରିଚୟ
ନିଜ ଲୋକ ବିଷ ଅପରେ ବିଶ୍ୱାସ ଧ୍ବଂସବୁଦ୍ଧି ଅଭ୍ୟୁଦୟ ।
ଭାଇ ଭଉଣୀର ରକତରେ ବାଡ଼ ଜ୍ଞାତି କଥା କେ ପଚାରେ
ସାମାଜିକ ସ୍ଥିତି ଜନପ୍ରିୟ ନୀତି ସପନ ତା ଉପଚାରେ ।
ଶାସ୍ତ୍ର ପୁରାଣକୁ ଉପହାସ କରି କହେ ମନଗଢ଼ା ଗପ
ଧର୍ମ ନୀତି ବାଣୀ କର୍ଣ୍ଣରେ ନଶୁଣି ପ୍ରକାଶେ ନିଜସ୍ୱ ଦର୍ପ ।
ଯେଉଁ ଗାଆଁ ମାଟି ପାଣି ପଵନରେ ବଢ଼ି ସେ ହୋଇଲା ବଡ଼
ସେହି ଗାଆଁ ନାଆଁ ଶୁଣିଦେଲେ ଆଜି ଦାନ୍ତ କରେ କଡ଼ମଡ଼ ।
ଆଧୁନିକ ନୀଳବର୍ଣ୍ଣ ଜମ୍ବୁକ ତ ରକତକୁ ଭାବେ ପର
କୁହୁଡ଼ି ପହଁରି ମରିବା ତା ଭାଗ୍ୟେ ଲେଖା ଅଛି ଜାତକର ।
ଏମିତିକା ପୁତ୍ର ଯା'ଭାଗ୍ୟେ ସମ୍ଭୁତ ଫାଟିଛି କପାଳ ତାର
ଆପଣା ସୁନାତ ବେଙ୍ଗି ହୋଇଗଲେ ଜୀବନ୍ତ ମରଣ ସାର ।
ଉଦ୍ଧାର ମାଣକ ତିନିପା ନୋହିବ ପାଇବ ସେ ପ୍ରତିଫଳ
ପିତୃ ମାତୃ ଅସନ୍ତୋଷେ ଜଳିଯିବ ସହାୟ ସମ୍ପଦ ବଳ ।