କଳାଠାକୁର
କଳାଠାକୁର
କୋଟି ଭକତର ଆଖି ଲୁହ ଝରେ
ତୋ' ଆଖିରେ କେବେ ଝରେ ନାହିଁ ଲୁହ,
କାହିଁକି କାଳିଆ ତୋ ଆଖିରେ ଚାହିଁ
ମୋ ଆଖିରେ ବହେ ଲୋତକର ସୁଅ ।
ହେ ନୀଳାଚଳିଆ କହିଦିଅ ଥରେ
ଚାହିଁଦିଅ ବାରେ ଚକାନୟନରେ,
ତୁଟିବ ସନ୍ଦେହ ମୋ ମନ କନ୍ଦରେ
ନ ରହିବ ଦୁଃଖ ଏହି ଜନମରେ ।
କେଡ଼େ ଶୋଭାବନ୍ତ ଦିଶୁଛ ସାମନ୍ତ
ରତ୍ନସିଂହାସନେ ବିଜେ ହୋଇକରି,
କଞ୍ଜ ବଦନକୁ ଚାହିଁ ଦେଲେ ବାରେ
ମନ ମୋହର ତ ଉଠୁଛି ଶିହରୀ ।
ହେ କଳାଠାକୁର ବଳିଆର ଭୁଜ
ରତନ ଚିତା ଯେ ଉଠୁଛି ଝଟକି,
ଦୟଣାର ଚୂଳ ତୁଳସୀର ମାଳ
ଗଳେ ଲମ୍ବଇ ଫୁଲ ଭଳି ଭଳିକି ।
ଶ୍ରୀମୁଖର ଶୋଭା ଅତି ମନଲୋଭା
ଦିଶେ ସତେ କିବା ପୁନେଇର ଚାନ୍ଦ,
ରଙ୍ଗ ଅଧରରୁ ପଡ଼ୁଅଛି ଝରି
ମନ୍ଦ ମନ୍ଦ ସେ ତ ହସ ମକରନ୍ଦ ।
ତୋ ମନ ଗହନେ ଜାଣେ ନାହିଁ ମୁହିଁ
ଭାବୁକିରେ ସଦା ଭକତର ପାଇଁ,
ମୋ ମନ ଅନ୍ତରେ ହେ କଳାଠାକୁର
ଭାବୁଥିବି ତୋତେ ଚିରଦିନ ପାଇଁ ।
