କଳା ଠାକୁର
କଳା ଠାକୁର
କଳା ଠାକୁର, ବିଚିତ୍ର ଲୀଳା ତୁମର
ଦରିଆ କୂଳରେ ଦାରୁବ୍ରହ୍ମ ରୂପ
କେଡେ ସୁନ୍ଦର ହେ କଳା ଠାକୁର ।
ମହୋଦଧି କୂଳେ ପୂଣ୍ୟ ନୀଳାଚଳେ
ମେଘନାଦ ଘେରା ପ୍ରାଚୀର ଭିତରେ
ଆବୋରି ବସିଛ ରତ୍ନ ସିଂହାସନେ
କେଡେ ସୁନ୍ଦର ହେ କଳା ଠାକୁର ।
କଳ୍ପବଟ ମୂଳେ ଶ୍ରୀମନ୍ଦିରେ ଉଡେ
ପତିତପାବନ ବନା କୁତୁହଳେ
ଶୂନ୍ୟ ଆକାଶର ବୁକୁଚିରି ଦୋଳେ
ହୋଇ ବିଭୋର ହେ କଳା ଠାକୁର ।
ସିହଦ୍ଵାର ଦେଶେ ଅରୁଣ ସ୍ତମ୍ଭରେ
ବିଜୟ ଅରୁଣ ପ୍ରଣମ୍ୟ ମୁଦ୍ରାରେ
ବିନତା ନନ୍ଦନ କରନ୍ତି ବନ୍ଦନ
ଯୋଡ ହସ୍ତର ହେ କଳା ଠାକୁର ।
ବିମଳା କମଳା ସର୍ବ ସୁର ଗଣ
ବେଢା ଚତୁଃପାର୍ଶ୍ଵେ ଧ୍ୟାନମୁଦ୍ରା ମଗ୍ନ
ସର୍ବ ପୂଣ୍ୟତୋୟା ନଦୀ ଜଳ କୂପ
ଶୀତଳା ଜଳ ହେ କଳା ଠାକୁର ।
ବ୍ରହ୍ମା ରୁଦ୍ର ବନ୍ଦ୍ୟ ଅପ୍ସାରା ଗନ୍ଧର୍ବ
ନୃତ୍ୟ ଗୀତ ଛନ୍ଦେ ବାଜୁଅଛି ବାଦ୍ୟ
ବର୍ଣ୍ଣାଢ଼୍ୟ ଉତ୍ସବ ବିଳାସ ବ୍ୟସନେ
କର ବିହାର ହେ କଳା ଠାକୁର ।
କେତେ ଦୁଃଖ କେତେ କୃର ଅତ୍ୟାଚାର
ଜୀବନ ଯୁଇରେ ଜଳୁଛି ସଂସାର
ସବୁ ଜାଣି ଶୁଣି ମଉନେ ବସିଛ
କମଳା ବର ହେ କଳା ଠାକୁର ।
ନହୁଅ ନିର୍ଦ୍ଦୟ ଆହେ ଦୟାମୟ
ସଚରାଚର ତ ତୁମରି ଆଶ୍ରୟ
ତୁମ ବିନା କାହିଁ ଗତି ପରାଂଗତି
ଯେ ପୀତାମ୍ବର ହେ କଳା ଠାକୁର ।
