STORYMIRROR

Hrushikesh Satpathy

Classics

3  

Hrushikesh Satpathy

Classics

କୀର୍ତ୍ତିମୟୀ ଉତ୍କଳ

କୀର୍ତ୍ତିମୟୀ ଉତ୍କଳ

1 min
249

ଇତିହାସ କେବେ  କଳଙ୍କିତ ନୁହେଁ

    ସଦା ସ୍ବର୍ଣ୍ଣାଭ ଶୀତଳ,

ଘର୍ମେ ଘର୍ମେ ତା'ର ରନ୍ଧ୍ରରେ ରନ୍ଧ୍ରରେ

    ଫୁଟେ ଦିବ୍ୟ ଶତଦଳ


ଏକାମ୍ର ଐତିହ୍ୟ   ସ୍ମୃତି ସ୍ୱର୍ଣ୍ଣମୟ

    ସଦା ଚର୍ଚ୍ଚିତା,ବନ୍ଦିତା,

ଉତ୍କଳର ଗର୍ବ    ଭୂୟସୀ ଭୂସ୍ବର୍ଗ

    ଜାତିର ସ୍ୱର ସୁସ୍ମିତା


ମନେ ପଡେ ଯେବେ ଜାତି ଇତିହାସ

    ବର୍ଣ୍ଣାଢ୍ୟ ଉତ୍କଳ ଗାଥା,

ବୀର ବୀରାଙ୍ଗନା ତେଜସ୍ୱୀ ମାଟିର

    ଗର୍ବରେ ଉଠଇ ମଥା


ବାରବାଟୀ ଦୁର୍ଗ ଏବେ ବି ଗାଉଛି

    ବୀରତ୍ବର ଦର୍ପ ଗୀତି,

ଧଉଳି ପାହାଡ଼ ମଥା ଟେକି କୁହେ

   ଉତ୍କଳୀୟ ଜାତି ପ୍ରୀତି


ପାଇକ ରକ୍ତର ବୀରତ୍ବ ବାରତା

   ମାଟି ପବନେ ମିଶିଛି,

ଶତ୍ରୁ ଦଳନର ଅପୂର୍ବ ଆକାଂକ୍ଷା

  ଏବେ ବି ମନେ ପଡୁଛି


ଅର୍କ ଶ୍ରୀ କୋଣାର୍କ ମୁଣ୍ଡ ଟେକି ଗାଏ

    ବାର ଶ' ବଢ଼େଇ କୃତି,

ଧନ୍ୟ ସେ ଧରମା କର୍ମରେ ସୁକର୍ମା

    ଇତିହାସର ସୁଖ୍ୟାତି


ହଜାର ହଜାର  ବରଷ ଐତିହ୍ୟ

    ତୀର୍ଥକ୍ଷେତ୍ର ଶ୍ରୀ ମନ୍ଦିର

ବଡଦାଣ୍ଡ ତା'ର   ସମଗ୍ର ବିଶ୍ୱର

    ସେ ବିଶ୍ୱର ଅଧୀଶ୍ଵର


ଆମରି ଐତିହ୍ୟ ଏତେ ମହନୀୟ

    ବର୍ଣ୍ଣିବାକୁ ଭାଷା କାହିଁ ?

ଉତ୍କଳ ଜନନୀ  ସୁଧା ସୁଭାଷିଣୀ

    କୀର୍ତ୍ତିମୟୀ ମାନମୟୀ


ବନ୍ଦେ ଗୋ ଜନନୀ ଶୁଭ୍ରା ସୁହାସିନୀ

    ମୁଁ ତୁମ ନ୍ୟୂନ ସନ୍ତାନ,

ପ୍ରଣତି ବାଢୁଛି  ଅର୍ଘ୍ୟ ଐତିହ୍ୟକୁ

    ଘେନ ନମ୍ର ନିବେଦନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics