କିଏ ଶୁଣିବ ଆସ ଆମର କାହାଣୀ
କିଏ ଶୁଣିବ ଆସ ଆମର କାହାଣୀ
ଅତି ଛୋଟ ଜୀବଟି ଆମେ
ଥାଉ କର୍ମରେ ରତ,
ଆହାର ଖୋଜିବା ପାଈଁକି
ବୁଲୁଛୁ ଇତଃସ୍ତତ l(1)
ଆହାର ଯେଉଁଠି ପାଉଛୁ
ତାକୁ ଆଣୁଛୁ ଟାଣି,
ଖାଦ୍ୟର ବାସନା ବାଜିଲେ
ସବୁ ପାରୁଛୁ ଜାଣି l (2)
ଆମେ ସଭିଏଁ ବାସ କରୁ
ଅତି ଛୋଟ ଗର୍ତ୍ତରେ,
ଯେତେ ବାଧା ବିଘ୍ନ ଆସିଲେ
ରହୁ ଏକଜୁଟରେ, l (3)
କାମୁଡି ଦେଲେ ଯେ ତୁମକୁ
ତୁମେ କୁଣ୍ଡାଇ ଦିଅ,
କଣ କାମୁଡୁଛି ନ ଦେଖି
ସେଠାରେ ମନ୍ଥି ଦିଅ l (4)
ଘାଆ ପରି ଫୋକା ହୁଅଇ
ଆମେ କାମୁଡି ଦେଲେ,
ଫର୍ମିକ ଏସିଡ ରହିଛି
ଆମ ପାଟିର ଲାଳେ l (5)
ସର୍ବଦା କହନ୍ତି ଆମକୁ
ଶୁଣ ଆମର ବାଣୀ,
ଦଳବଦ୍ଧ ଭାବେ ରହିଲେ
ପାରିବେନି କେ ଜିଣି l (6)
ଯେତେ ଝଡ ଝଞ୍ଜା ଆସିଲେ
ତୁମେ ଏଡାଇ ଦେବ ,
ଏକଜୁଟ ଭାବେ ରହିଲେ
ସବୁ ହେବ ସମ୍ଭବ l (7)
ସବୁବେଳେ ସୁକର୍ମ କର
ନ ହୋଇ ଅଳସୁଆ,
ପରିଶ୍ରମ କରିଲେ ସବୁ
କ୍ଷେତ୍ରେ ହେବ ଆଗୁଆ l (8)
ଛୋଟ ହୋଇଲେ କଣ ହେଲା
ଶିଖ ଆମର ଏ ଗୁଣ,
ଛୋଟ ଜୀବକୁ କେବେହେଲେ
ନ କର ହଇରାଣ l (9)
କୌଣସି ଜୀବକୁ କେବେ ବି
ଛୋଟ ଭାବିବ ନାହିଁ ,
କ୍ଷୁଦ୍ର ଠାରେ ମହତ ଗୁଣ
ନିହିତ ଥାଏ ରହି l (10)
ଶିକ୍ଷକ ଭଳିଆ ଶିଖାନ୍ତି
ଯେତେ ମହତ ବାଣୀ,
ପିଲାମାନେ କେବେ ନ ଭୁଲ
ପିମ୍ପୁଡିର କାହାଣୀ l (11)
