କିଛି ଶେଷକଥା
କିଛି ଶେଷକଥା
ଶବ୍ଦର ସାଗର ତଟ ପର୍ଯ୍ୟଟନ
ମେଲାଣି ନେବାର ବେଳା
କେମିତି ଭାବରେ ବିତିଲା ସମୟ
ନିମିଷେ ମାତ୍ର ଲାଗିଲା ।
କଳ୍ପ ବେଳାବୁକେ ପିଟୁଥିଲା ମଥା
ଶବଦ ତରଙ୍ଗମାଳା
ଗୋଟାଉଥିଲି ମୁଁ ଶଙ୍ଖ ଓ ଶାମୁକା
ରଙ୍ଗ ବାଛି ମନଲୋଭା ।
ମାତିଗଲି ଖେଳେ ନାଚିଲି ଗାଇଲି
ମନ ଫୁଲାଣିଆ ଗୀତ
ଆନନ୍ଦ ଉଲ୍ଲାସେ ଗଢିଲି ମନ୍ଦିର
ବାଲୁକାର ଚକ ରଥ ।
ବାଲି ରେଣୁ କଣେ ଦାରୁ ଶବ୍ଦ ବ୍ରହ୍ମ
ଅରୁପର ସୃଜି ରୂପ
ମନର ବେଦନା କରିଲି ପ୍ରକାଶ
ସମର୍ପିଲି ଅର୍ଘ୍ୟ ଧୂପ ।
ବେଳା ରତ ରତ ଅଭାବ ସୁଯୋଗ
ଦରଶନ ଦୁରଲଭ
ଘେନିବେ ନୈବେଦ୍ୟ ଶବ୍ଦ ପୁଷ୍ପାଞ୍ଜଳି
ଦୋଷାଦୋଷ ନ ଧରିବ ।
କଟୁ ଦୁଃଖ ଦୈନ ଅନ୍ଧାର ରଜନୀ
ପୂରୁବେ ସୂରୁଜ ଉଁଉ
ମନ ସରୋବରେ ପ୍ରଫୁଲ୍ଲ କମଳ
ଚେତନା ଜାଗ୍ରତ ହେଉ ।
ବିଭୁଙ୍କ ପ୍ରସାଦୁ ସାହିତ୍ୟ ଦର୍ପଣ
ହେଉ ସ୍ୱଚ୍ଛ ପ୍ରତିଭାତ
ଅୟରାମ୍ଭ ହେଉ ସର୍ଜନର ଯାତ୍ରା
ନୂଆବର୍ଷ ସୁପ୍ରଭାତ ।
ସାବଲୀଳ ହେଉ ସ୍ୱଚ୍ଛନ୍ଦ ସୁନ୍ଦର
ହରୁ ଜୀବନର ବ୍ୟଥା
ଶବ୍ଦ ଅଭିମନ୍ତ୍ର ହେଉ ପୁଲକିତ
ସାରମର୍ମ ଶେଷକଥା ।
