କି ରଙ୍ଗ ବୋଳିଲୁ ?
କି ରଙ୍ଗ ବୋଳିଲୁ ?
କି ରଙ୍ଗ ବୋଳିଲୁ ମୋତେ ଲୋ ସଜନୀ
ଛାଡୁନାହିଁ ଜମା ଦେହରୁ ମୋର
ମନରେ ଏମିତି ମାଖିଛୁ ରଙ୍ଗ ତୁ
ଚୋରାଇ ନେଇଛୁ ନିଦ ମୋହର ।
ସପନେ ଦେଖୁଛି ତୋ' ସାଥେ ଖେଳୁଛି
ବୋଳିଦେଉଅଛୁ ଫଗୁ ଅବିର
ତୋ' ମିଠା ଛୁଆଁରେ ହୃଦୟ କନ୍ଦରେ
ସ୍ପନ୍ଦନ ଦ୍ୱିଗୁଣ ହୁଏ ମୋହର ।
ପ୍ରେମେ ଭିଜାଉଛୁ ମୋତେ ଲୋ ସଜନୀ
ଫଗୁଣର ଋତୁ ଲାଗେ ନିଜର
ଫୁଲର ଦେହରେ ତୋ' ଛବି ଦିଶୁଛି
ବାସ୍ନାରେ ବ୍ୟାକୁଳ ମନ ମୋହର ।
କୋକିଳ ତାନରେ ତୋ ସ୍ୱର ଶୁଭୁଛି
ମଳୟର ସ୍ପର୍ଶ କରେ ଅଧିର
ମଧୁର ଅକୁହା ପ୍ରୀତି ଭାବାବେଗ
ଗୀତିକା ସାଜିଛି ହୃଦେ ମୋହର ।
ମନର ରାଧିକା ତୁ ଅଭିସାରିକା
ଯଉବନ ସିକ୍ତ ପ୍ରୀତି ନିର୍ଝର
ଲୋଟିଯାଇ ବକ୍ଷେ ନାଶ କରିଦିଅ
ହୃଦୟେ ଆବଦ୍ଧ ପୀଡା ମୋହର ।

