ଖୟାଲି ପଲାଉ
ଖୟାଲି ପଲାଉ
ବିବାହ ସାମଗ୍ରୀ ସହରରୁ କିଣି
ଫେରୁଛି ଗାଆଁକୁ ଧଡି,
ତେଲଟିଣ ଟିଏ ବହିବା ଅଡୁଆ
ଖୋଜି ବୁଲୁଥାଏ ଗାଡି ।
ସେହି ବାଟ ଦେଇ ଅଳସୁଆ ନଟ
ବୁଲି ଯାଉଥିଲା କାହିଁ ,
କହିଲା ଧଡିକୁ ପାଞ୍ଚ ଟଙ୍କା ଦେଲେ
ତେଲଟିଣ ନେବି ବୋହି ।
ନଟର ପ୍ରସ୍ତାବ ଧଡି ମାନିଗଲା
ନଟ ମୁଣ୍ଡେ ତେଲ ଟିଣ ,
ଥୋଇ ପଛେ ଚାଲେ ଅନ୍ୟ ଜିନିଷ କୁ
ଧରି ଅତି ଯତ୍ନେ ଜାଣ ।
ନଟର ଭାବନା କାହିଁ କେତେ ଲମ୍ବା
ୟା'ଠୁ ପାଞ୍ଚ ଟଙ୍କା ନେଇ ,
ଅଣ୍ଡାଟେ କିଣିବି ଛୁଆ ଫୁଟାଇବି
ବଂଶ ବଢାଇବି ମୁହିଁ ।
ବହୁତ କୁକୁଡା ହେବ ଯେବେ ପାଶେ
ବିକିବି ନେଇ ହାଟରେ ,
ଯାହା ଟଙ୍କା ହେବ ଗାଈଟେ କିଣିବି
କ୍ଷୀର ଦୁହିଁବି ଥାଟରେ ।
ଦୁଧ ଦହି ଛେନା ବିକ୍ରି କରୁଥିବି
ଖର୍ଚ୍ଚ କରିବିନି ମୋଟେ ,
ଘରଟେ କରିବି ବହା ସାହା ହେବି
ହୋଇବ ଆମ ପିଲାଟେ ।
ଲିପ୍ତ ଥିବି ଯେବେ ବ୍ୟବସାୟ କର୍ମେ
ପିଲାକୁ ଧରିବା ପାଇଁ ,
କହିବ ଘରଣୀ ଅନୁନୟ ହୋଇ
ଜମାରୁ ଶୁଣିବି ନାହିଁ ।
କହିବି ରାଗରେ ନିଜସ୍ବ ଢଙ୍ଗରେ
ମୁଣ୍ଡକୁ ମୋର ହଲାଇ ,
ହିସାବ୍ କିତାବ୍ କର୍,ତାହୁଁ ଅବ୍
ବଚ୍ଚା ପକଡୁଙ୍ଗା ନେହିଁ ।
ଭାବି ଏହି କଥା ହଲାଏ ତା ମଥା
ମୁଣ୍ଡରୁ ଖସିଲା ଟିଣ ,
ଫାଟିଗଲା ଟିଣ ବହିଗଲା ତେଲ
ଭାବନା ତା ଅକାରଣ ।
