ଖୁସିରେ ଜୀଇଁବା ଆସ
ଖୁସିରେ ଜୀଇଁବା ଆସ
ବନ୍ଧୁ ପରିଜନ ସମ୍ପଦ ସମ୍ମାନ
ଦେଇ ପାରିବେନି ସୁଖ,
ହୃଦୟ କନ୍ଦରୁ ପ୍ରସ୍ଫୁଟିତ ଏତ
ଆତ୍ମସନ୍ତୋଷ ଉଚ୍ଛ୍ୱାସ । [୧]
ଚିନ୍ତା ଖାଇଯାଏ ବୟସକୁ
ଆଉ କ୍ରୋଧ ଖାଇଯାଏ ବୁଦ୍ଧି,
ଲାଞ୍ଚ ଖାଇଯାଏ ମଣିଷ ପଣିଆ
ସମ୍ମାନକୁ ଖାଏ ଜିଦ୍ଦି । [୨]
ଅହଂକାର ଆମ ମନକୁ ଗ୍ରାସଇ
ଲୋଭ ଖାଏ ସ୍ୱାଭିମାନ,
ଷଡ଼ରିପୁ ଠାରୁ ଦୁରେଇ ରହିଲେ
ମହତ ହେବ ଜୀବନ । [୩]
ଗଢିବାରେ ଅଛି ମହାନ ଆନନ୍ଦ
ଯୋଡ଼ିବାରେ ମିଳେ ଶାନ୍ତି,
ଭୋଗୀଠୁ ମହାନ ତ୍ୟାଗୀଜନ
ଯେଣୁ ତ୍ୟାଗରୁ ବୈରାଗ ମୁକ୍ତି । [୪]
ସହସ୍ର ଟୁକୁଡା ହୋଇବି ମୁକୁର
ନିଜସ୍ୱକୁ ଭୁଲେ ନାହିଁ,
ଶ୍ରେଷ୍ଠ ପ୍ରାଣୀ ହୋଇ ଆମେ କାହାପାଇଁ
ଖୁସିରେ ଜୀଇଁବା ନାହିଁ ! [୫]