#ଖୋଜୁଥାଏ_ଚିରକାଳ**************
#ଖୋଜୁଥାଏ_ଚିରକାଳ**************
ଚାଲି ଆସ ନଦୀ ତୁଠକୁ
ରାତିରେ ସମ୍ଭାଳି ରଖିଥିବା
ପେଜୁଆ ଆଖିକୁ ଶୀଘ୍ର ଧୋଇନେବାକୁ
ଟିକିଏ ଗଲେ ବଢ଼ିଯିବ ଗହଳଚହଳ
ଆସ ଚଞ୍ଚଳ ହେଲାଣି ସକାଳ...।
ଭୋଗିଲା ଦିନୁ ତୁମରି ବିରହ
ଅଥୟ ମୋ ପ୍ରାଣ ତୃଷ୍ଣାରେ ଅସହ୍ୟ
ଅଥଚ ମୋ ପିଆଲାରେ
ସବୁଦିନ ଭରି ରହିଥାଏ ଅମୃତର ଜଳ...
ବିରହୀ ପ୍ରାଣରେ ଶାନ୍ତି କାହିଁ ଯେ
ଅମୃତ ପିଇ ଚାହିଁବି ମୁଁ ହେବାକୁ ଅମର..?
କାଲି ରାତିର କାହାଣୀ ନୁହେଁ ଏହି
ଅଭିଶପ୍ତ ଏ କାହାଣୀ ତ ଗୋଟିଏ ଜନ୍ମର..!
ଆସ ଶୀଘ୍ର ଗୋଟିଏ ବାହାନା କରି
ବର୍ଷିବା ଆଗରୁ ତୁମ ପେଜୁଆ ଆଖିକୁ
ତୁଠରେ ଭଲ କରି ଧୋଇନିଅ,
ନଦୀର ଏପାଖ ତୁଠରେ
ପାହାନ୍ତିଆରୁ ମୁଁ ବସିଛି ତୃଷିତ
ତୁମ ଆଖି ଲୁହ ପିଇ ମେଣ୍ଟାଇବି ଶୋଷ..।
ସେ ପାଖେ ତୁମେ ଧୋଉଥିବ ଆଖି ଲୁହ
ଏପାଖେ ମୁଁ ପିଉଥିବି ସେ ଲୁହକୁ ଅନବରତ
ମୋ ଭିତରେ ବଢ଼ୁଥିବ ଆହୁରି ଶୋଷ
ମୋତେ ଲାଗୁଥିବ ମୁଁ ଯେ ଆଜନ୍ମ ଅତୃପ୍ତ...।
ହଠାତ...ତୁମ ପ୍ରଶ୍ନ...
: କୁହ କେତେଦିନ ଆଉ ଭୋଗିବି ବିରହ..?
ମୋ ଉତ୍ତର କେବଳ...
: ଶୁନ୍ୟ ଶବ୍ଦ ଆଉ ଆଖି ଛଳଛଳ..!
କିଛି କ୍ଷଣ ଲାଗି ନ'ଥିବ ଯେତେକ ବାଧା
ନିଶ୍ଚିହ୍ନ ହୋଇ ଯାଉଥିବ ଦୂରତ୍ୱର ଦୁଇ ତୁଠ
ବିସ୍ମୃତ ହେବୁ ଆମେ ଫେରିବାର ସବୁ ବାଟ
କେଜାଣି କେବେର ଏ ବିରହ ପରେ
ଆମେ ଦୁହେଁ ଆଜି ଆଲିଙ୍ଗନ ବଦ୍ଧ..।
...
..
ସନ୍ଧ୍ୟା ବେଳକୁ
ଚର୍ଚ୍ଚା ହେଉଥିବ ସବୁରି ମୁହଁରେ...
ଆମ ଦୁଇଜଣଙ୍କ ଅନ୍ତର୍ଦ୍ଧାନର ଖବର ଓ
ଗୋଟିଏ ନିରୁଦ୍ଦିଷ୍ଟ ସମୟ ବାବଦରେ...
ଆମେ ଦୁହେଁ ଥିଲେ ବୋଲି
କିଛି ପ୍ରମାଣ ଅବଶ୍ୟ ସେମାନଙ୍କୁ ମିଳିବ
ତାହା କଣ ତୁମେ ଜାଣିଛ..?
ହଳେ ପାଦ ଚିହ୍ନ, ଯୋଡ଼ାଏ ପାଉଁଜି
ଏବଂ ଆର ପଟ ତୁଠରେ
ପଡିଥିବା ଗୋଟିଏ ମହମହ ବଂଶୀ...।
