ଖଇ କଉଡି
ଖଇ କଉଡି
ଓଡିଆ ସଂସ୍କୃତି ପରମ୍ପରା ବିଧି
ଓଡିଆ ନୀତିରେ ଥାଏ
ଓଡିଆ ଚଳଣୀ ଓଡିଆ ସଂସ୍କାର
ସବୁଠୁ ନିଆରା ସିଏ ।
ପ୍ରତ୍ୟେକ ଜୀବନେ ଏ ଖଇ କଉଡି
ଲୋଡା ଦିନେ ହେଇଥାଏ
ଗୋଟିଏ ଓଠରେ ହସ ଭରି ଦିଏ
ଅନ୍ଯଟି ଲୁହେ ଭିଜାଏ ।
ବିବାହ ବେଳରେ ଏ ଖଇ କଉଡି
ଆବଶ୍ୟକ ହେଇଥାଏ
ବର କନିଆଁଙ୍କ ଦାମ୍ପତ୍ୟ ଜୀବନ
ଏଇଠୁ ଆରମ୍ଭ ହୁଏ ।
ଆଖିରେ ଅନେକ ସପନ ଦେଖନ୍ତି
ବିବାହ ବେଦୀରେ ସିଏ
ମୁଣ୍ଡରେ ଓଢଣୀ ସିନ୍ଦୂରକୁ ନାଇ
ବର ପାଖେ ବସି ଥାଏ ।
ଭଣ୍ଡାରୁଣୀ ଆସି ଖଇ କଉଡିକୁ
ଡାଲାରେ ଯେ ରଖି ଦିଏ
ବଡ ଭାଉଜଟି ସେ ଖଇ କଉଡି
ବେଦୀରେ ଖେଳେଇ ଥାଏ ।
କୁମ୍ଭାର ଘରରୁ ବିବାହ ସାମଗ୍ରୀ
ସାତ ଦୀପ ଅଣାଯାଏ
ତାହାରି ଭିତରୁ ସେ ମୋଚି ଘରିରେ
ଖଇକୁ ଫୋପଡା ହୁଏ ।
ହାତ ପରେ ହାତ ଛନ୍ଦି ଦେଇ ଖଇ
ହୋମ ଯଜ୍ଞେ ପକା ଯାଏ
ଲଜ୍ଜା ହୋମ ଖଇ ବୋଲି ଏଇ କଥା
ଲୋକେ ପ୍ରକଟିତ ହୁଏ ।
ହୋମ ଯଜ୍ଞେ ବେଦ ମନ୍ତ୍ର ପଢା ସାଥେ
ଅଗ୍ନି ସାତଫେରା ହୁଏ
ବେଦ ମନ୍ତ୍ର ହୁଳହୁଳି ଶବଦରେ
ବିଭା କାର୍ଯ୍ୟ ହେଉଯାଏ ।
ବେଦୀ ପାଖୁ ପୁରୋହିତ ଗଲା ପରେ
କଉଡି ଖେଳଟି ହୁଏ
ଛଡା ଛଡି ହେବା ଟାହି ଟାପରାର
ମଜା ସେଠି ଜମି ଯାଏ ।
କଉଡି ଖେଳଟି ସରି ଯାଇଥାଏ
ସାତ ଦିନ ଯେବେ ହୁଏ
ପ୍ରଥମ ବିବାହ କଉଡି ଖେଳର
ସ୍ମୃତିଟି ନିଆରା ଥାଏ ।
ଜୀବନର ଶେଷ ଯାତ୍ରା ସମୟରେ
ଏ ଲୋଡା ନିଶ୍ଚିତ ହୁଏ
ବିଦାୟ ବେଳର ଏ ଖଇ କଉଡି
ଲୁହରେ ଭସେଇ ଥାଏ ।
ଏ ଖଇ କଉଡି ମଶାଣୀ ଭୂଇଁର
ଶେଷ ସନ୍ତକଟି ହୁଏ
ଜନମ ଜୀବନ ମରଣ ସହିତ
ଖଇ କଉଡିଟି ଥାଏ ।
ଏ ଖଇ କଉଡି ଜୀବନରେ ଦୁଇ
ଥର ପାଇଁ ଆସିଥାଏ
ଦାମ୍ପତ୍ୟ ଜୀବନ ଆରମ୍ଭରେ ଥାଏ
ବିଦାୟ କାଳରେ ଇଏ ।।
