ଖେଳ
ଖେଳ
ଜୀବନ ଦଉଡ଼ରେ ଖେଳର ବିଭବ
ସମାପ୍ତ ନାହିଁ ତାହା କଦାପି
କେଉଁ ଧାରା ଖେଳେ କିଏ ବା ଖେଳୁଛି
ତଉଲିବା ନିଶ୍ଚେ ତଥାପି ।।
ନୈତିକତା ଭରି ରହିଥାଏ ଖେଳେ
ଉତ୍ସୁକତା ଆଣିବା ନିର୍ଦୋନ୍ଦରେ
ଶଙ୍କାହୀନ ମନେ ନିରନ୍ତର ଜ୍ଞାନେ
ହାସଲ କରିବା ତାହା ସ୍ବଛନ୍ଦରେ ।।
ଖେଳ ଯେ ଦେଉଛି ଶୃଙ୍ଖଳାର ସୂତ୍ର
ଅନୁଶାସନ ପରି ଆଦର୍ଶତା
ନୀତି ନିୟମର ଧାରା ଅନ୍ତର୍ଭୁକ୍ତ
ବିବିଧ ପ୍ରସଙ୍ଗେ ରହୁ ସଂଶ୍ଳିଷ୍ଟତା ।।
ଜାତୀୟତା ବୋଧ ଦେଶାତ୍ମ ବୋଧରେ
ନିବିଡ଼ ଘନିଷ୍ଠ ଅଛି ହୃଦୟରେ
ଖେଳ ଯେ ସଂପୃକ୍ତି ପୁରାଣ କାଳରୁ
ନାହିଁ ଯେ ଦ୍ଵିମତ ଆଉ ସନ୍ଦେହରେ ।।
ପାରମ୍ପାରିକ ଖେଳରେ ହସୁଥିଲା ଗାଆଁ
ଦାଣ୍ଡର ପ୍ରାଙ୍ଗଣ ହୁଏ ଧୂଳାମୟ
ମାଟି ପିଣ୍ଡାରେ ଦର୍ଶକଙ୍କ ଭିଡ଼
ପଲ୍ଲୀ ପରିବେଶ ହୁଏ ଉଲ୍ଲାସମୟ ।।
ନାହିଁ ଭେଦଭାବ ନଥାଏ ଅନ୍ତର
ଶିଖାଇଛି ଏହା ପାରମ୍ପାରିକତା
ସାହି ପଡ଼ିଶାର ମେଳର ପ୍ରଭାବେ
ସୃଷ୍ଟି ହୁଏ ସମରସତା ।।