ଖେଳ କସରତ
ଖେଳ କସରତ
ଉଚ୍ଚା ଅନୁସାରେ ରଖ ଦେହର ଓଜନ
ନିୟନ୍ତ୍ରଣେ ଗ୍ରହଣୀୟ ସୁଷମ ଭୋଜନ ,
ନିତ୍ୟକର୍ମ ସାଧନରେ ନକରିବ ହେଳା
ମଳ ପରିତ୍ୟାଗେ ଧ୍ୟାନ ରଖ ଦୁଇବେଳା ।
ଶଯ୍ୟାତ୍ୟାଗ ପରେ ଉଷ୍ଣଜଳ ବାଞ୍ଛନୀୟ
ପେଟସଫା ହୁଏ ଯହିଁ ଖାଦ୍ୟ ପାଚନୀୟ ,
ଶୁଦ୍ଧ ଅମ୍ଳଜାନ ହେତୁ ଧୀରେ ପ୍ରାଣାୟାମ
କରିବାର ପରେ ହେଉ ହାଲୁକା ବ୍ୟାୟାମ ।
ଶରୀରର ମାଂସପେଶୀ ହୁଏ ବୀକ୍ଷଣୀୟ
କଠୋର ବ୍ୟାୟାମମାନ ତେଣୁ ଶିକ୍ଷଣୀୟ ,
ନିୟମରେ ପ୍ରତିଅଙ୍ଗ କେତେ ଚାଳନୀୟ
ସେଥିପାଇଁ ନିର୍ଦ୍ଦେଶନା ନିଶ୍ଚେ ପାଳନୀୟ ।
ସାମର୍ଥ୍ୟରେ ଦେହ ପାଇଁ ଯାହା କରଣୀୟ
ସେହି ସୀମା ଅନୁସାରେ ଆଜ୍ଞା ଗ୍ରହଣୀୟ ,
ତାଲିମକୁ ମାନି କଲେ ପ୍ରଶିକ୍ଷକ ପାଶେ
ଅସମ୍ଭବ ଲାଗେ ଯାହା ସହଜରେ ଆସେ ।
ଭାର ଉତ୍ତୋଳନ ଆଦି ଖେଳ କସରତେ
ଏ' ଦେଶର ଯୁବାଗୋଷ୍ଠୀ ପ୍ରସିଦ୍ଧ ମରତେ ,
କାର୍ଯ୍ୟ କୁଶଳତା ପାଇ ଶିକ୍ଷା ନିର୍ଦ୍ଦେଶରେ
ପଦକ ଲଭିଛୁ ଆମେ ଦେଶ ବିଦେଶରେ ।
