କେମିତି ହସିବି ମୁହିଁ
କେମିତି ହସିବି ମୁହିଁ
କେମିତି ହସିବି ମୁହିଁ ମହାପ୍ରଭୁ
କେମିତି ହସିବି ମୁହିଁ,
ସଂସାରରେ ଏତେ ଦୁଃଖ କଷ୍ଟଦେଖି
ହସିକି ପାରିବ କେହି l
ଶିଶୁ ମାନେ ଏଠି ଯାତନା ସହନ୍ତି
କେଉଁ ବୁଦା ମୂଳେ ପଡି,
ବାଳୁତ ବେଳରେ ଭିକ୍ଷା ମାଗୁଥାନ୍ତି
ଭୋକ ଉପାସରେ ସଢ଼ି l
ଯୁବ ପୀଢ଼ି ଆଜି ଚାକିରୀ ଖୋଜଇ
ବାହାର ରାଇଜେ ଯାଇଁ,
ସୁଖ ଶାନ୍ତି ଆଜି ହଜିଛି ସବୁଠି
ଅଶାନ୍ତିର ଚରାଭୂଇଁ l
ବାର୍ଦ୍ଧକ୍ୟ ଅବସ୍ଥା ବେସାହାରା ଏଠି
ଛାତିରେ ଛାତିଏ କୋହ,
କିଏ ପୁଣି ଯାଇ ବୃଦ୍ଧାଶ୍ରମେ ରହି
ଆଖିରୁ ଗଡା଼ଏ ଲୁହ l
କେଉଁଠି ବରଷା ଏତେ ହେଉଥାଏ
ଫସଲ ପାଣିରେ ଲୋଟେ,
କେଉଁଠାରେ ପୁଣି ବରଷା ବିହୁନେ
ଶୁଖି କରି ମାଟି ଫାଟେ l
ବନ୍ୟା ବାତ୍ୟା ଆଉ ସୁନାମୀ ସହିତ
ଅଜଣା କେତେ ଯେ ରୋଗ,.
ମାଡି ଆସୁଅଛି ସଂସାରକୁ ଏବେ
ନାହିଁ ପ୍ରତିକାର ଯୋଗ l
ସମାଜରେଆଜି ବଢ଼ି ଯାଉଅଛି
ହିଂସା ଦ୍ୱେଷ କପଟତା,.
ଦେଶ ଦେଶ ମଧ୍ୟେ ଲାଗିରହିଅଛି
ଯୁଦ୍ଧର ଯେ ଘନ ଘଟା l
ଲୋକଙ୍କ ମଧ୍ୟରେ ନାହିଁ ପୂର୍ବ ପରି
ଆଉ ସେଇ ଭାଇଚାରା,
ଦୟା ଧର୍ମ ପ୍ରେମ ଲୋପ ପାଇଲାଣି
ଛଳନା ଓ ହିଂସା ଭରା l
କଳିଯୁଗର ଏଅବସ୍ଥାକୁ ଦେଖି
ହସିବେ କେମିତି କେହି,
ଆସ ଅବତରି ପ୍ରଭୁ ଲୀଳାମୟ
ଶାନ୍ତି ଦୂତ ତୁମେ ହୋଇ ll
******&*********
