କେମିତି ବୁଝିବି
କେମିତି ବୁଝିବି
କେମିତି ବୁଝିବି ତୁମରି ସୃଷ୍ଟିକୁ
ସ୍ଵଳ୍ପ ଆୟୁଷକୁ ନେଇ
କିପରି ବର୍ଣ୍ଣିବି ବିଶାଳ କୃତିକୁ
ଭାଷା ଜ୍ଞାନ ପାଉ ନାହିଁ।
ରଙ୍ଗ ବେରଙ୍ଗ ର କୁସୂମେ ଭରିଛ
କେଡେ ସୁବାସ ମହକ
ଦେଖଣା ହାରୀର ମନ କିଣି ନିଏ
ଗୋଟିଏ ଦିନ ସଉକ।
ଏତେ ବଡ଼ ବିଶ୍ଵ ଅନିନ୍ଦ୍ୟ ପ୍ରକୃତି
ସଜୀବ ନିର୍ଜୀବ କେତେ
ସମସ୍ତେ ବଞ୍ଚନ୍ତି ସମସ୍ତେ ରହନ୍ତି
ଆଶ୍ଚର୍ଯ୍ୟ ଲାଗଇ ସତେ।
ଜନମ ଦେଇଛ ପାଳନ କରୁଛ
ଗରବ କାହିଁକି ମନେ
ମାନ ଅଭିମାନ ଦର୍ପ ଅହଙ୍କାର
ଉଭେଇ ଯାଏତ କ୍ଷଣେ।
ବୁଝେ ବା ନ ବୁଝେ ତୁମରି ମହିମା
ଏହି ଦୀନ ଅକିଞ୍ଚନ
ପ୍ରତି କରମକୁ ସମର୍ପି ଦେଇ ମୁଁ
ସେପାଦେ ନିଏ ଶରଣ।
