STORYMIRROR

Binaya Bhusan Panigrahi

Romance

3  

Binaya Bhusan Panigrahi

Romance

କେହିତ ଆସୁଛି ଜଣେ

କେହିତ ଆସୁଛି ଜଣେ

1 min
202


ପରିଣତା ହେଲାଣି ଶର୍ବରୀ,

କେତେବେଳୁ ନିଦ ଲାଗିଲାଣି,

ହାତରେ କାମ କିଛି ବାକି ନ ଥାଇବି

କାହିଁକି କେଜାଣି,

ଆଖିପତା ଜମା ପଡୁନାହିଁ !


ମୁଣ୍ଡ ଉପରୁ ଜହ୍ନ ଯାଇ ଅନେକ ଦୂରରେ ଏବେ

ଶାଗରରେ ଝାସିବାକୁ ଉଦ୍ୟତ ହେଲାଣି,

ପତ୍ରେ ପତ୍ରେ ଫୁଲରେ ଫୁଲରେ

କାକରର ବିନ୍ଦୁ ମାନେ ମିଶି

ଢଳଢଳ ହେଲେଣି ନିଶାରେ,

କେତେବେଳେ ନିଶା ମୋର

ମୁଣ୍ଡରୁ ଉତୁରି ଗଲା,ଜାଣି ହେଲାନାହିଁ। !!


କଣ, ମୋ'ଆଖି ମେଲା ଅଛି ବୋଲି

କଢି ମାନେ ଆଗତୁରା ଫୁଟି ହସିଲେଣି,

ମିଠାମିଠା ବାସ୍ନାରେ ବିଭୋର କରି

କେହିଜଣେ ଆପଣାର ଆସୁଛି ବୋଲି

ଇସାରାରେ ବେଉରା ଦେଲେଣି।

ଆଉକିଏ ଆସିବ ଯେ ଏବେ !!

କେହିତ ସେମିତି ନାହିଁ

ଏମିତି ବେଳାରେ ଆସି ପହଂଚିବା ପାଇଁ ?


ଆଗରୁ ଏମିତି ହୁଏ

ତମେ ଯେବେ ଆସିବାର ଥାଏ,

ଏବେ ତ ସେକଥା ଆଉ କଥା ହେଇ ନାହିଁ !

ମୁଁ କଣ ଜାଣିନାହିଁ ,

ସଙ୍ଖାର ଶୃଙ୍ଖଳ କେବେ ଛିଣ୍ଡେଇ ହୁଏନା ବୋଲି?

ନା ବୁଝିନାହିଁ,

ଲକ୍ଷ୍ମଣରେଖାକୁ ସିନା ଡେଇଁପାରେ ନାରୀ

ସିଂଥିର ସିନ୍ଦୁର ରେଖା ଟପି ପାରେନାହିଁ ??


ତମେ ସିନା ଆସିବାର ନାହିଁ,

କାନକୁ ଶୁଭୁଛି କାହାର ଏ ମୃଦୁ ପଦଧ୍ଵନି?

କେହି ତ ଆସୁଛି ଜଣେ,ଆସୁଛି ନିଶ୍ଚୟ

ସାଥିରେ ନେବାକୁ ବୋଧେ ଚିରଦିନ ପାଇଁ।।


ବିନୟ ଭୂଷଣ ପାଣିଗ୍ରାହୀ( ମିଟୁ)

ହରସିଂହ ପୁର,ପିରହାଟ, ଭଦ୍ରକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance