କେବଳ ଝିଅଟି ସେ
କେବଳ ଝିଅଟି ସେ
ଦଳିତା ନୁହେଁ ସେ ଝିଅଟି ଥିଲା
ଦୁଷ୍କର୍ମ ର ପୁଣି ଶିକାର ହେଲା ।
ଗଣମାଧ୍ୟମ ହେ କହୁଛ ତୁମେ
ଦଳିତା ବୋଲିଣ ପ୍ରଚାର ଭ୍ରମେ ।
ଗାନ୍ଧୀଙ୍କ ଆଦର୍ଶେ ଚାଲୁଛ ବାଟ
ଦେଖେଇ ହୁଅ କେତେ ଯେ ଥାଟ ।
ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷର
ଭାରତୀୟ ବୋଲି କର ହୁଙ୍କାର ।
କୁଆଡେ ଗଲା ହେ ତୁମର ନିତି
ଗୀତା, ଭାଗବତ, କୋରାନ ଇତି ।
ଧର୍ମ କଣ ଶିକ୍ଷା ଦିଏ ଏଇଆ
ଦଳିତ ଝିଅଟି ତୁମ ମାଣିଆ ।
ଯାହା ଇଛା ତାର ସାଥିରେ କରି
ମୁହଁ ଦେଖାଅ ଯେ ବଡ଼ିମା କରି ।
ନିଜ ଘରେ ଯିଏ ସ୍ତ୍ରୀ କୁ ଛାଡି
ପର ଝିଅ ପରେ ଦୃଷ୍ଟି କୁ ଗାଡି ।
ସିଏ ପୁଣି କାଳେ ନ୍ୟାୟ ଚାହୁଁଛି
ଲୋକେ ବଡ଼ିମାକୁ ଦେଖାଉ ଅଛି ।
ବନ୍ଦ କର ଏଇ ଥଟ୍ଟା ତାମସା
ବହୁତ କରୁଛ ହେ ଲୋକହସା ।
କୌଣସି ପୁଅର ଔକାତ ନାହିଁ
ବଞ୍ଚିଯିବି ସିଏ ଝିଅକୁ ଚାହିଁ ।
ରାବଣ ମରିଲା ସୀତାକୁ ଛୁଇଁ
ଏ ଛାର ମାନବ ତୁଚ୍ଛ ଧନ୍ଦେଇ ।
ନିଜ ଘର କଥା ନିଜେ ସମ୍ଭାଳ
ନିଜ ପୁଅର ଯେ ବାଟ ଓଗାଳ ।
ପିଲାବେଳୁ ଦିଅ ଉଚିତ ଶିକ୍ଷା
ନାରୀ କୁ ସନ୍ନମାନ ନାରୀ ସୁରକ୍ଷା ।
ପାଖ ପଡିଶା କି ସାହି ଗଳିରେ
ନଜର ଆସିଲେ କେବେ ବେଳରେ ।
ଏହିପରି କିଛି ଚରିତ୍ର ପିଲା
ସଙ୍ଗେ ଦିଅ ଶାସ୍ତି କରନି ଢିଲା ।
ପୋଲିସ ବାବୁତ ଚୋର ସମାନ
ପ୍ରଶାସନ ପୁଣି ଅଟେ ମହାନ ।
ଏକୁ ଆରକେ ବଳିଆରଟି
ଗୋଟିଏ ଗାଡିର ଚକା ଦୁଇଟି ।
ନିର୍ଭୟା, ପ୍ରିୟଙ୍କା ଆଉ ମନୀଷା
ଦିଲ୍ଲୀ ହେଉ କିମ୍ବା ହେଉ ଓଡିଶା ।
ଭରପୁର ଏଠି କୁକୁର ଦଳ
ଅମଣିଷ ପରା ଏଠାରେ ଠୁଳ ।
ଖୋଜି ଖୋଜି ତାଙ୍କୁ ଦିଅ ହେ ଶାସ୍ତି
ବନ୍ଦ କର ମିଶି ତାଙ୍କର ମସ୍ତି ।
ଯେପରି ଡରନ୍ତୁ ସବୁ ଅମଣିଷ
ମିଟିଯାଉ ଦେଶୁ ସେହି ରାକ୍ଷସ ।
ଦଳିତା ହେଉକି ଉଞ୍ଚ ଗୋଷ୍ଠୀର
କେବଳ ଅଟେ ସେ ଝିଅ କାହାର ।
ଝିଅ ବୋଲି ଭାବି କର ବିଚାର
ଦଳିତା ବୋଲିଣ ଛାଡ ମନର ।
