କବିତା ପର୍ବ : ପଲ୍ଲୀ ଗୀତି-କବିତା-12 : ମାଟିଘର
କବିତା ପର୍ବ : ପଲ୍ଲୀ ଗୀତି-କବିତା-12 : ମାଟିଘର
ମାଟିଘର ସୁଖ ପକ୍କାଘର ନାହିଁ ଜାଣିଥା' ଲୋ ନୂଆବୋହୂ,
ଚାଳରେ ମାଡ଼ିଛି ବୋଇତାଳୁ ପୋଈ ଶୋଇଛି ଢ଼ିଙ୍କିଆ ଲାଉ | (ଘୋଷା)
ଖାଲରୁ ଆଣିବି ଚିଙ୍ଗୁଡ଼ି ମାଛକୁ ମୁଁ-ବିଲରୁ କଳମ ଶାଗ,
ପୋଈନାଡ଼ି ଦେଇ ଘାଣ୍ଟ କରିଦେବୁ ହେଇଥିବ ଟିକେ ରାଗ |
ବାଡ଼ିରୁ ଆଣିବୁ କଷି କାକୁଡ଼ିଟି କାଟିଦେବୁ ଲମ୍ଵାକରି,
ଚାଳରେ ଶୁଖୁଛି କଖାରୁ ବଡ଼ି ଲୋ- ତାକୁ ଭାଜି ଦେବୁ ଚୂରି |
ଚକା ପାରିଦେଇ ବସିଗଲେ ତଳେ ଲୋଡ଼ାନାହିଁ କିଛି ଆଉ |
ମାଟିଘର ସୁଖ ପକ୍କାଘର ନାହିଁ ଜାଣିଥା' ଲୋ ନୂଆବୋହୂ |(1)
ପାଣି କଖାରୁରେ ଶାକର କରିବୁ ଦେଶୀଗୁଡ଼ ଟିକେ ଦେଇ,
କଖାରୁ ଫୁଲକୁ କଡ଼ାରେ ଭାଜିବୁ ବଟା ପିଠଉ ଗୋଳେଇ |
କଳମ ଶାଗକୁ ରସୁଣ ପକେଇ ଯତ୍ନରେ ଭାଜିଦେବୁ,
ଶେଉଳ ମାଛକୁ ଆମ୍ବୁଲ ପକେଇ ରାଗ ଝୋଳ କରୁଥିବୁ |
ବାଢ଼ିଦେବୁ ମୋତେ କହୁଥିବି ମୁହିଁ ମିଛରେ ସେତିକି ଥାଉ |(2)