କବିତା ପର୍ବ : (ଅତିରିକ୍ତ) କବିତା- 47 : ମାଟି :-ଡକ୍ଟର କୃତ୍ତିବାସ ନାୟକ
କବିତା ପର୍ବ : (ଅତିରିକ୍ତ) କବିତା- 47 : ମାଟି :-ଡକ୍ଟର କୃତ୍ତିବାସ ନାୟକ
ମାଟିରୁ ମିଳଇ ପାଣି ମାଟି ଘର ଆମର,
ମାଟିରୁ ମିଳୁଛି ସୁନା ଲୁହା ଇଟା ପଥର |
ମାଟିରେ ଉଠୁଛି ଗଛ ଭରେ ଫୁଲ ପତର,
ମାଟିରେ ଭରିଛି ଗନ୍ଧ ପୁଣି ବାସ-ଅତର |
ମାଟିରୁ ବାହାରେ ନିଆଁ ପର୍ବତକୁ ଫୁଟେଇ,
ମାଟିରେ ବହୁଛି ନଦୀ ପାଣି ସୁଅ ଛୁଟେଇ |
ମାଟିରେ ରହିଛି ଲୁଣ ଖଟା ମିଠା ସୁଆଦ,
ମାଟିରେ ଭରିଛି ରଙ୍ଗ ଖାର ବିଷ ବାରୂଦ |
ମାଟି ଧରିଛି ପାହାଡ଼ ବଣ ବିଲ ସାଗର,
ମାଟି ଆକାଶକୁ ଚାହିଁ ନିତି ଦିଏ ଚକ୍କର |
ମାଟିରେ ରହିଛି ଶକ୍ତି ରହିଛି ତ ଜୀବନ,
ମାଟି ଏକା ମାଆ ସିନା ଆମେ ସବୁ ସନ୍ତାନ |
ମାଟି ପାଣି ପବନରୁ ବଢେ ଆମ ଆୟୁଷ,
ମାଟିରେ ମିଶିବା ଦିନେ ଏଇ ମାଟି ମଣିଷ |
ମାଟିରେ ଅଛି ଅମୃତ ଆସ ତାକୁ ଖୋଜିବା,
ସ୍ୱଚ୍ଛ ସୁନ୍ଦର ସବୁଜ କରି ତାକୁ ପୂଜିବା |
000
