କବି ଭାବନାରେ ଶୀତ ସକାଳ
କବି ଭାବନାରେ ଶୀତ ସକାଳ
ଲୁଚିଯାଏ ଟିକି ଫୁକିଆ ତାରାଟି
ସୂର୍ଯଙ୍କର ଆଗମନେ
ଫିକା ଦିଶେ ଜହ୍ନ ଆକାଶ ବୁକୁରେ
ବିଷର୍ଣ୍ଣତା ଭରି ମନେ l
କଇଁ ଭିଜୁଥାଏ କାକର ଟୋପାରେ
ସତେକି ମନ ବିରହେ l
ଅନ୍ଧାର ପରଦା ଆଡେଇ ଆଡେଇ
ଶୀତୁଆ ପବନ ବହେ
ପ୍ରକୃତି ରାଣୀ ଆଗାମୀ ଦିନର
ସ୍ୱାଗତ ରାଗିଣୀ ଗାଏ l
ପକ୍ଷୀଙ୍କ ମଧୁର ସ୍ୱନେ
ଆବାହନ କରେ ସୂର୍ଯ୍ୟ ଦେବତାଙ୍କୁ
ପ୍ରୀତି ପଲ୍ଲବୀତ ମନେ ll
ବାରତା ଦେବାକୁ କୁଆ କୁମ୍ଭାଟୁଆ
ଖେଳାନ୍ତି ତାଙ୍କର ମଥା
କୁକ୍କୁଟ ରାବଇ ଉଠ ହେ ଏଥର
କର କରମର ଚିନ୍ତା l
ଖାଦ୍ୟ ଚିନ୍ତା ଚମତ୍କାର
ଦିନ ଆସିଗଲେ ଆହାର ପାଇଁ
ସବୁ ଜୀବ ତରବର l
ଉଦାସ ଉଦାସ ଲାଗଇ ସକାଳ
ନିର୍ଜନତା ସବୁ ଠାରେ
ପ୍ରକୃତି ସତେକି ସ୍ନାହାନ କରୁଛି
କାକରର ଜଳ ଧାରେ l
ହୋଇ ସେ ପବିତ୍ର ସତେ
ପ୍ରାଣପ୍ରିୟଙ୍କର ସ୍ୱାଗତ କରିବ
ପୁଷ୍ପାଞ୍ଜଳି ଭରି ହାତେ l
ଫୁଲ କଢି ମାନ ଅନାଇ ରହନ୍ତି
ସୂର୍ଯ୍ୟ ଆଗମନ ପାଇଁ
ପାଖୁଡା ଉହାଡୁ କଣାଇ ଚାହାଁନ୍ତି
ସୂର୍ଯଙ୍କୁସେ ରହି ରହି l
ଅଳସେଇ ପ୍ରଜାପତି
ପକ୍ଷ ଝାଡୁଥାଏ ପତ୍ର ପରେ ବସି
ପ୍ରେମ ଭରା ଗାଇ ଗୀତିl
କୁହୁଡି ସହିତ ସୂର୍ଯ୍ୟ ଦେବତା
ଲୁଚକାଳି ଖେଳି ଖେଳି
ଧୀରେ ଧୀରେ ପୁଣି ଉଠି ଆସୁଥାନ୍ତି
କୁହୁଡି ପରଦା ଠେଲି l
ସକାଳ ସୂରୁଜ ଝଳି
ରଙ୍ଗ ଖେଳିଯାଏ କାକର ବିନ୍ଦୁରେ
କେବେ ଧଳା କେବେ ଲାଲି l
ପଲ୍ଲୀବଧୂଟି ତରତର ହୋଇ
ନଦୀର ଘାଟକୁ ଯାଏ
ସ୍ନାହାନ ପରେ ସେ ଆଞ୍ଜୁଳା ଭରି
ସୂର୍ଯ୍ୟଙ୍କୁ ପ୍ରଣତ ହୁଏ l
ତୁଳସୀ ଚଉରା ମୂଳେ
ପ୍ରଣତି ଢାଳଇ ଜଳଦାନକରି
ଭକ୍ତିର ଦୀପାଳି ଜାଳେ l
ଦେବାଳୟେ ପୁଣି ଘଣ୍ଟା ଘଣ୍ଟି ସ୍ଵନ
ନୀରବତା ଭଙ୍ଗ କରେ
ମନ୍ତ୍ର ଉଚ୍ଚାରଣ ଶଙ୍ଖ ନାଦ ମିଶି
ଭକ୍ତି ଭାବ ମନେ ଭରେ l
କବିର କଳ୍ପନା ନେତ୍ର
ସଜାଇ ଦିଏ ସେ ସକାଳ ପ୍ରକୃତି
ଆଙ୍କି ତା ସୁନ୍ଦର ଚିତ୍ର l
