କାଞ୍ଚି ଅଭିଯାନ
କାଞ୍ଚି ଅଭିଯାନ
ଜୟ ଜୟ ଜଗନ୍ନାଥ ଭକ୍ତ ଜୀବନ
ଭକତ ମାନ ରଖିଲ ସାଜି ସଇନ ।
ପୁରୁଷୋତ୍ତମ ଙ୍କ ପାଇଁ କଲ ଲଢେଇ
ଚୁନା କରିଦେଲ କାଞ୍ଚି ରାଜା ବଡେଇ।
କାଞ୍ଚି ବିଜୟ ର ଶାଖି କାଞ୍ଚି ଗଣେଶ
ଶ୍ରୀମନ୍ଦିରେ ଆଜି ପୂଜା ପାଆନ୍ତି ସେତ।
ପାଞ୍ଚ ଶହ ବର୍ଷ ତଳ ଦିବ୍ୟ କଥାଟି
ପୁରୁଷୋତ୍ତମ ଉତ୍କଳ ର ଗଜପତି।
ମନ୍ତ୍ରି ପାରିଷଦ ସହ ଥରେ ରାଜନ
ରାଜ୍ଯ ଦକ୍ଷିଣ କୁ ସେତ କଲେ ଗମନ।
କାଞ୍ଚି ଆଉ ଉତ୍କଳ ର ସୀମା କାବେରୀ
ଅପୂର୍ବ ସୁଷମା ଭରା କୂଳ ତାହାରି।
ସେ ଶୋଭା କୁ ଉପଭୋଗ କରିବାପାଇଁ
ଗଜପତି ଅଟକି ଲେ ସେଠାରେ ଯାଇ।
ଭ୍ରମଣ କାଳେ ଦିନେକ କାବେରୀ କୂଳେ
ଅକସ୍ମାତେ କାଞ୍ଚି ଜେମାଙ୍କୁ ସେ ଦେଖିଲେ।
ପ୍ରଥମ ଦେଖାରେ ରାଜା ପ୍ରେମେ ମଗନ
ପଦ୍ମାବତୀଙ୍କୁ କଲେ ପ୍ରେମ ନିବେଦନ।
ପଦ୍ମାବତୀ ତାଙ୍କ ମନ ସମର୍ପି ଦେଲେ
ସେ ଯେ ଉତ୍କଳ ନରେଶ ଯେବେ ଜାଣିଲେ ।
ଗଜପତି ଙ୍କ ରୂପକୁ ହୃଦେ ସାଇତି
ଫେରିଗଲେ ଉଆସକୁ ରାଜ ଜେମାଟି ।
ପୁରୁଷୋତ୍ତମ ଙ୍କୁ କରି ସେ ଜପା ମାଳି
ଶୟନେ ସପନେ ହେଲେ ମନରେ ଭାଳି।
ସାଲ୍ବ ନରସିଂହ ଦେବ କାଞ୍ଚି ର ରାଜା
ଗଣେଶ ଙ୍କୁ ନିତି ରାଜା କରନ୍ତି ପୂଜା।
ଗଣେଶ ଙ୍କ ଆଶିଷ ରେ ସଦା ବିଜୟୀ
ସୁଖରେ ପାଳନ୍ତି ପ୍ରଜା ପ୍ରଭୁଙ୍କୁ ଧ୍ଯାଇ।
କନ୍ୟା ପଦ୍ମାବତୀ ସର୍ବ ଗୁଣ ସମ୍ପନ୍ନା
ତା ରୂପ ଗୁଣକୁ ନାହିଁ କାହିଁ ତୁଳନା।
ଚହଟିଲା ଉଆସରେ ଜେମା ଙ୍କ ପ୍ରେମ
ସାଲ୍ବ କଲେ ଗଜପତି ଙ୍କୁ ନିମନ୍ତ୍ରଣ ।
ନିମନ୍ତ୍ରଣ ପାଇ ଗଜପତି ଆସିଲେ
ପଦ୍ମାବତୀ ଜୟ ଜଗନ୍ନାଥ ସ୍ମରିଲେ।
ପୁରୁଷୋତ୍ତମ ଙ୍କୁ ଦେଖି ରାଣୀ ରାଜାତ
ପ୍ରସନ୍ନ ହୋଇ କରିଲେ ଆଶିର୍ବାଦ ତ।
ପୁରୁଷୋତ୍ତମ ଦକ୍ଷିଣ ଭ୍ରମଣ ସାରି
ଉତ୍କଳ କୁ ଯେବେ ରାଜା ଆସିଲେ ଫେରି,
ରଥ ଯାତ୍ରା ପାଇଁ ହେଉ ଥାଏ ପ୍ରସ୍ତୁତି
ଦେଖିଣ ଆନନ୍ଦ ହୋଇଲେ ଗଜପତି।
ବିବାହ ପ୍ରସ୍ତାବ ଦେଇ କାଞ୍ଚି ରାଜନ
ମନ୍ତ୍ରୀ ଙ୍କୁ ତାଙ୍କ ଉତ୍କଳେ କଲେ ପ୍ରେରଣ।
ପତ୍ର ଦେଇ ମନ୍ତ୍ରୀ ରଥଯାତ୍ରା ପାଇଁକି
କିଛିଦିନ ପାଇଁ କ୍ଷେତ୍ରେ ଗଲେ ଅଟକି ।
ରଥଯାତ୍ରା ଦିନ ହେଉ ହେଉ ସକାଳ
ବଡ଼ଦାଣ୍ଡ ହୋଇଗଲା ଭକ୍ତ ଗହଳ।
କି ସୁନ୍ଦର ତିନି ରଥ ସିଂହ ଦୁଆରେ
ରଙ୍ଗ ବେରଙ୍ଗର ଶୋଭା ମନ ମୋହେ ରେ।
ଜୟଜୟ ଜଗନ୍ନାଥ ଉଛୁଳେ ଧାମ
ସ୍ବ ବିଗ୍ରହେ ରଥେ ପ୍ରଭୁ ଦେଲେ ଦର୍ଶନ।
ରଥରେ ବିଜେ ହୋଇଲେ ଚତୁର୍ଦ୍ଧା ମୂର୍ତ୍ତୀ
ପହଣ୍ଡି କରି ଆଣିଲେ ଦଇତାପତି।
ପହଣ୍ଡି ସରନ୍ତେ ଗଜପତି ଆସିଲେ
ତିନି ରଥେ ଚଢ଼ି ଛେରାପହଁରା କଲେ।
ହାତେ ସମାର୍ଜନୀ କରି ମଥାକୁ ନତ
ସମାର୍ଜନ କଲେ ରାଜା ଦିବ୍ୟ ତ୍ରିରଥ।
କାଞ୍ଚି ର ମନ୍ତ୍ରୀ ଯେ ଦେଖି ରଥ ପହଁରା
ଭାବିଲେ କିକାର୍ଯ୍ଯ ରାଜା କରନ୍ତି ଭଲା।
ଧରିସେ ପହଁରା ନିଚ୍ଚ କାମ କରନ୍ତି
ଲାଜ ନାହିଁ ପ୍ରଜା ମାନେ ଦେଖୁଅଛନ୍ତି।
ମନ ଉଣା କରି ମନ୍ତ୍ରୀ କାଞ୍ଚି ଫେରିଲେ
ସାଲ୍ବ ଙ୍କ ଆଗରେ କଥା ବଖାଣି ଗଲେ ।
ମନ୍ତ୍ରୀ ଙ୍କ ବଚନ ଶୁଣି କାଞ୍ଚି ରାଜାତ
ପୁରୁଷୋତ୍ତମ ଙ୍କୁ କଲେ ଧିକ୍କାର ସେତ ।
ଶୀଘ୍ର ପଦ୍ମାବତୀ ଙ୍କର ବିବାହ ପାଇଁ
ସ୍ଵୟମ୍ବର ଆୟୋଜନ କଲେ ଯେ ସେହି।
ପୁରୁଷୋତ୍ତମ ଙ୍କୁ କଲେନି ନିମନ୍ତ୍ରଣ
ଦୁଃଖ ରେ ଅଧୀର ପଦ୍ମା ମନ ମାରିଣ ।
ଦୂତ ଏକ ଏ ଖବର ଆସିଲା ନେଇ
ଗଜପତି ଙ୍କୁ ତ ଜଣାଇଲା ସେ ଯାଇ।
ଦୂତ ମୁଖୁ ଶୁଣି କାଞ୍ଚି ରାଜା ଙ୍କ କଥା
ପୁରୁଷୋତ୍ତମ ଙ୍କ ହେଲା ଅଥୟ ମଥା।
ମହାପ୍ରଭୁ ଙ୍କ ର ସେବା ଛେରାପହଁରା
ଦେବତା ଦେଖନ୍ତି ଆସି ସରଗୁ ପରା।
ଏ ଦିବ୍ୟ ସେବାକୁ କୁ ସାଲ୍ବ ନରସିଂହ ଟି
ଭାବିଲେ କେମିତି ସେତ ନିଚ୍ଚ କାମଟି?
ଠାକୁର ଙ୍କ ଅପମାନ ଅଟଇ ଏତ
ଏଥିପାଇଁ ସଜ୍ଜା ନିଶ୍ଚେ ପାଇବେ ସେତ।
ପ୍ରତିଶୋଧ ପାଇଁ ରାଜା ଶପଥ ନେଲେ
ଜାଗରେ ଜାଗ ପାଇକ ଡାକି କହିଲେ ।
ଦୁର୍ଦ୍ଧସ ପାଇକ ସେନା ବାହିନୀ ନେଇ
କାଞ୍ଚି ସାଥେ ଗଜପତି କଲେ ଲଢେ଼ଇ।
ପ୍ରାଣ ମୁର୍ଚ୍ଛା ଦୁଇ ପକ୍ଷ ଯୁଦ୍ଧ କରିଲେ
ଅଗଣିତ ସଇନୀକ ଜୀବନ ଦେଲେ ।
ଗଣନାଥ ଙ୍କର ଦୟାରୁ କାଞ୍ଚି ରାଜା ତ
ପୁରୁଷୋତ୍ତମ ଙ୍କୁ କଲେ ଯୁଦ୍ଧେ ପରାସ୍ତ।
ପରାଜିତ ଗଜପତି ଫେରି ଆସିଲେ
ମହାପ୍ରଭୁଙ୍କ ସମ୍ମୁଖେ କାନ୍ଦି ଗଡିଲେ।
ପ୍ରଭୁଙ୍କ ପ୍ରଥମ ସେବକ ଗଜପତି
ଗୁହାରୀ ଶୁଣିଲେ ସ୍ବୟଂ ଜଗତ ପତି।
ସ୍ବପ୍ନ ରେ ଆସି କହିଲେ ଶୁଣ ରାଜନ
ଆଉଥରେ କର ଯୁଦ୍ଧ ର ଆୟୋଜନ ।
ଏଥର ହାରିବ ନିଶ୍ଚେ କାଞ୍ଚି ରାଜା ଟି
କରିବୁ ରେ କାଞ୍ଚି ରାଜା ଗର୍ବ ଚୁନା ଟି।
ମହାପ୍ରଭୁଙ୍କର ସ୍ବପ୍ନ ଆଦେଶ ପାଇ
ଗଜପତି ଯୁଦ୍ଧ ପାଇଁ ଗଲେ ଆଗେଇ ।
ଜଗନ୍ନାଥ ବଳଭଦ୍ର ସାଜି ପାଇକ
କାଞ୍ଚି ଅଭିଯାନ କଲେ ଠାକୁରେ ଆଗ।
କଳା ଘୋଡା ଧଳା ଘୋଡା ଚଢିଣ ସେତ
ଟାଣ ଖରାରେ ଚଳିଲେ କାଞ୍ଚି ରାଜ୍ୟେ ତ ।
ଖରା ତେଜେ ଦୁଇଭାଇ ଶୋଷିଲା ହୋଇ
ଏଣେତେଣେ ଚାହାଁନ୍ତେ ତ ଦେଖିଲେ ତହିଁ।
କେହି ଜଣେ ଦହି ନବ ଦହି କହୁଛି
ମାଣିକ ତା ନାଁ ଦୂର ଗାଆଁ ରୁ ଆସିଛି ।
ଦହି ହାଣ୍ଡି ମୁଣ୍ଡେଇ ସେ ଡାକି କହୁଛି
ଆସ କେ ପିଇବ ମିଠା ଦହି ଆଣିଛି।
ମିଠା ଦହି ବସା ଦହି ପିଇବ ଆସ
ମୋ ଦହି ପିଇଲେ ମେଣ୍ଟିଯିବ ଗୋ ଶୋଷ ।
ମାଣିକ ମଥାରେ ଦହି ପସରା ଦେଖି
ଜଗା ବଳିଆ ତ ତହିଁ ଗଲେ ଅଟକି।
ଘୋଡା ରୁ ଓହ୍ଲାଇ ଗଲେ ଦୁହେଁ ତା ପାଶେ
କହିଲେ ଯେ ତଣ୍ଟି ଶୁଖି ଯାଉଛି ଶୋଷେ।
ଦିଅ ଦହି ଦିଅ ଆମେ ଦୁହେଁ ପିଇବୁ
ପିଇ ସାରି କାହିଁ କେତେ ଦୂରକୁ ଯିବୁ।
ମାଣିକ ଯତନେ ଦହି ହାଣ୍ଡି ଓହ୍ଲାଇ
ଜଗା ବଳିଆ ଙ୍କୁ ଦେଲା ପିଇବା ପାଇଁ।
ହାଣ୍ଡିକ ଦୁହିଁକୁ ଦୁହେଁ ଦେଲେତ ପିଇ
ମାଣିକ ଖୁସି ଏମିତି ଗରାଖ ପାଇ।
ଏମିତି ଗରାଖ ଯଦି ନିତି ମିଳନ୍ତା
କାହିଁକି ସେ ଗାଆଁ ଗାଆଁ ଏତେ ବୁଲନ୍ତା।
ଜଗା ବଳିଆ ଆନନ୍ଦ ଦହି ଯେ ପିଇ
କଉଡି ପାଇଁ ମାଣିକ ରହିଲା ଚାହିଁ।
କହିଲା ଦିଅ କଉଡି ହୁଏ ଉଛୁର
ଡେରି ହେଲେ ଗାଳି ଦେବେ ଶାଶୁ ମୋହର।
ଚାହାଁ ଚାହିଁ ହେଲେ ଜଗା ବଳିଆ ଭାଇ
ଦହି ମୂଲ ଦେବା ପାଇଁ କଉଡି କାହିଁ ?
ଜଗନ୍ନାଥ ରତ୍ନ ମୁଦି ତାଙ୍କ କାଢିଲେ
ମାଣିକ ହାତକୁ ସେତ ବଢାଇ ଦେଲେ।
କହିଲେ ସେ ଆସୁଛନ୍ତି ରାଜା ପଛରେ
ତାଙ୍କ ଠୁ କଉଡି ନେବ ମୁଦି ଦେଇରେ।
ଏହା କହି ଦୁଇଭାଇ ଗଲେ ଉଭେଇ
ମାଣିକ ରାଜାଙ୍କ ବାଟ ବସିଲା ଚାହିଁ।
ଘୋଡା ଚଢି ଆସିଲେ ଦଳଦଳ ପାଇକ
ଉଗାଳିଲା ବାଟ ଡରିଡରି ମାଣିକ।
ଥରିଥରି ରାଜାଙ୍କର ପାସେ ଚଳିଲା
ପାଖରେ ପହଞ୍ଚି ତାଙ୍କୁ ପ୍ରଣାମ କଲା।
ରତନ ମୁଦି କୁ ହାତେ ବଢ଼ାଇ ଦେଲା
ଗୋଟି ଗୋଟି ସବୁ କଥା ବଖାଣି ଗଲା ।
ମହାପ୍ରଭୁଙ୍କ ମୁଦ୍ରିକା ମାଣିକ ହାତେ
ପୁରୁଷୋତ୍ତମ ଆଶ୍ଚର୍ଯ୍ୟ ହୋଇଲେ ସତେ।
ମୁଦି କୁ ପ୍ରଣାମ କରି ରାଜା କହିଲେ
ଧନ୍ୟ ତୁ ଲୋ ଦେଖିଲୁ ପ୍ରଭୁ ଙ୍କୁ ଆଖିରେ।
କି କିଉଡି ଦେବି କହ ଆଜିଲୋ ସତେ
ଆଜିଠାରୁ ଏହି ଅଞ୍ଚଳ ଦେଲି ମୁଁ ତୋତେ।
ମାଣିକ ପାଟଣା ହେଲା ଏ ଗାଆଁ ନାମ
ହସିହସି କହିଲେ ଯେ ପୁରୁଷୋତ୍ତମ।
ମନେମନେ ପୁଣି ରାଜା ଭାବିଲେ ସେତ
ଧନ୍ୟ ତୁମେ ଭକ୍ତ ବନ୍ଧୁ ଜଗତ ନାଥ।
ରାଜ୍ଯ ମାନ ରଖିବାକୁ ସାଜି ସଈନ
ଯୁଦ୍ଧ କରିବାକୁ ଯାଅ କଳା ବଦନ।
ମହାପ୍ରଭୁ ଯେଣୁ ନିଜେ କଲେ ଲଢେଇ
ନିମିଷକେ ଭାଙ୍ଗି ଗଲା କାଞ୍ଚି ବଡେଇ।
ଗଜପତି ଙ୍କ ପାଖେ କରି ନତ ଶିର
କାଞ୍ଚି ରାଜା କଲେ ପରାଜୟ ସ୍ବିକାର ।
ପଦ୍ମାବତୀ ଙ୍କୁ ତ ଗଜପତି ଙ୍କ ହାତେ
ସମର୍ପିଲେ ରାଜା ହୋଇ ବିନମ୍ର କେତେ।
ସାଥେ ନେଇ ପଦ୍ମା ଆଉ କାଞ୍ଚି ଗଣେଶ
ଆସିଲେ ରାଜ୍ୟେ ଫେରି ଉତ୍କଳ ନରେଶ।
ଗଣେଶ ଙ୍କୁ ନେଇ ଶ୍ରୀମନ୍ଦିରେ ରଖିଲେ
ପଶ୍ଚିମ ଦ୍ବାରରେ ପ୍ରଭୁ ପୂଜା ପାଇଲେ।
ଏଣେ ପଦ୍ମାବତୀ ନିତି କାନ୍ଦନ୍ତି ବସି
ସତେ ଅନ୍ଧକାର ହୁଏ କପାଳେ ନେସି।
ମନ୍ତ୍ରୀଙ୍କୁ ଡକାଇ ଗଜପତି କହିଲେ
ପଦ୍ମାବତୀ କୁ ତ ରଖ ତୁମରି ଘରେ।
କାଞ୍ଚି ରାଜା କହିଥିଲେ ମୁଁ ଝାଡୁଦର
ଏ କଥାର ପ୍ରତିଶୋଧ ନେବି ଏଥର।
ଝାଡ଼ୁଦାର ହାତେ ପଦ୍ମାବତୀ କୁ ନେଇ
ଛନ୍ଦି ଦେଲେ ଶାନ୍ତି ହେବ ପରାଣ ଏହି।
ମନ୍ତ୍ରୀ ଙ୍କ ଗୃହେ ରହିଲେ ପଦ୍ମା ଯେ ଯାଇ
କାନ୍ଦି କାନ୍ଦି ଆଖି ଲୁହ ଶୁଖିଲା ନାହିଁ।
ଝାଡ଼ୁଦାର ସାଥେ ହେବ ତାଙ୍କ ବିବାହ
ବଳେଇ ପଡ଼ିଲା ଶୁଣି ଜେମା ଙ୍କ କୋହ।
ମନ୍ତ୍ରୀଙ୍କ ପାଦରେ ଜେମା ପିଟିଣ ମଥା
କହିଲେ ବିପଦୁ ରଖ ମୋ ଧର୍ମ ପିତା ।
ମନ୍ତ୍ରୀ କହିଲେ ଯେ କନ୍ୟା ଧୈର୍ଯ୍ୟ ଧରଟି
ଜପ ଜଗନ୍ନାଥ ସେହି ସାହା ହେବେଟି।
ଦିନପରେ ଦିନ ମାସ ଯାଏ ଯେ ବିତି
ନିତି ରାଜା ପଦ୍ମା ଙ୍କ କଥା ପଚାରନ୍ତି।
ମନ୍ତ୍ରୀ କହନ୍ତି ଯୋଗ୍ୟ ଝାଡ଼ୁଦାର ଦେଖି
ନିଶ୍ଚେ ଦେବି ତାହାତରେ ପଦ୍ମା କୁ ଟେକି ।
ଚାହୁଁ ଚାହୁଁ ରଥ ଯାତ୍ରା ଆସି ଯେ ଗଲା
ବଡ଼ଦାଣ୍ଡେ ପ୍ରଭୁଙ୍କର ଲୀଳା ଲାଗିଲା।
ରଥରେ ବିଜେ କରିଲେ ଚତୁର୍ଦ୍ଧା ମୂର୍ତ୍ତୀ
ଛେରାପହଁରା ତ କରିଲେ ଗଜପତି ।
ଏସମୟେ ମନ୍ତ୍ରୀ ଙ୍କ ସାଥେ ପଦ୍ମାବତୀ
ରଥ ଉପରେ ହୋଇଲେ ଉପଗତ ଟି।
ରଥପରେ ପଦ୍ମାବତୀ ରାଜା ଚକିତ
ପଚାରନ୍ତି ଏଠି ତାର କିବା କାର୍ଯ୍ଯ ତ?
ମନ୍ତ୍ରୀ ହାତ ଯୋଡି ଦେଲେ ଉତ୍ତର ଧୀରେ
ରଥ ପହଁରନ୍ତି ଝାଡୁ ଧରି ହାତରେ।
ଯୋଗ୍ୟ ଝାଡ଼ୁଦାର ତେଣୁ ରାଜା ଆପଣ
ପଦ୍ମାବତୀ ଙ୍କୁ ତ ବାରେ କର ଗ୍ରହଣ।
ମନ୍ତ୍ରୀ ଙ୍କ କଥାକୁ ଶୁଣି ରାଜା ହସିଲେ
ରଥପରେ ପଦ୍ମା ଙ୍କୁ ସେ ଗ୍ରହଣ କଲେ।
ଜଗତ ଦେଖିଲା ଦୃଶ୍ୟ ଅପୂର୍ବ ସେହି
ଜୟଜୟ ଜଗନ୍ନାଥ ଗାଇଲା ମହୀ।
ଧନ୍ୟ ମହାପ୍ରଭୁ ଧନ୍ୟ ଲୀଳା ତୁମର
ପଦ୍ମାବତୀ ଦୁଃଖ କୁ ତ କଲ ବିଚାର।
ଉତ୍କଳ ର ପାଟ ରାଣୀ ସେତ ହୋଇଲା
କାଞ୍ଚି ଅଭିଯାନ କଥା ବିଶ୍ବ ଗଇଲା ।
