କାନ୍ଦିଲା ସହର କାନ୍ଦିଲା ଗାଁ
କାନ୍ଦିଲା ସହର କାନ୍ଦିଲା ଗାଁ
କାନ୍ଦିଲା କଟକ କନ୍ଦେ ରାଜଧାନୀ
କାନ୍ଦିକାନ୍ଦି ଝୁରେ ପୁରୀ
କନ୍ଦାଇଲା ଫନି ଓଡିଶା ବାସୀଙ୍କୁ
କରିଦେଲା ହତଶିରି ।
ପାଣି ମିଳିଲାନି ପଙ୍ଖା ବୁଲିଲାନି
ସବୁ ଖାଲି ନାହିଁ ନାହିଁ
ସହରୀ ମଣିଷ ଗାଁ ମୁହଁl ହେଲେ
କଷଣ ନପାରି ସହି ।
ସକାଳୁ ସକାଳୁ ନଈ ବାଲି ସାରା
ଗାଡି ମଟରର ଭିଡ
ବାବୁ ବାବୁଆଣୀ ନିତ୍ୟକର୍ମ ପାଇଁ
ମାନିଲେନି ବନ୍ଧବାଡ ।
ଫନି ଫଣା ମାଡ ଭାଙ୍ଗିଦେଲା ହାଡ
ସବୁଜିମା ଗଲା ହଜି
ଥୁଣ୍ଟା ଆମ୍ବ ଗଛେ କୋଇଲି ବାହୁନେ
ସାଥୀକୁ ତା ଖୋଜିଖୋଜି ।
ପାଚିଲା ଡାଳୁଅ ଧାନ କ୍ଷେତକୁତ
ପବନ ଦେଲାରେ ଦଳି
ଉଜୁଡିଲା ଧାନ ଉଜୁଡିଲା ପାନ
ବରଜ ପଡିଲା ଟଳି ।
ବରଜି ବୁଢାର ମନ ଦରଜକୁ
କିଏସେ ପାରିବ ବୁଝି
ହାତ ଉଧାରିରେ ଋଣ ଆଣିଥିଲା
କେମିତି ପାରିବ ସୁଝି ।
ଉଠା ଦୋକାନୀର ବେଉସା ବୁଡିଲା
ପସରା ଯାଇଛି ଉଡି
ଚଉତିଶା ଗାଏ ଚଇତନ ଭାଇ
ଭଙ୍ଗା ବରଗଛେ ଚଢି ।
ଗୁଆ ନାରିକେଳ ଚାଷୀଙ୍କ ବିକଳ
ବଳେଇ ପଡିଲା କୋହ
ବାହୁଙ୍ଗା ଖସିଲା ଗଛ ଶୋଇଗଲା
ଆଖିରେ ଆଖିଏ ଲୁହ ।
ଝଞ୍ଜା ଚାଲିଗଲା ଦହଗଞ୍ଜ କରି
ଝଞ୍ଜା ପରେ ବହେ ଝାଞ୍ଜି
ରାତି ପାହୁପାହୁ ମାଡିଆସେ ଖରା
ଭିଜିଯାଏ ଜାମା ଗଞ୍ଜି ।
ଯିଏ ବୁଝେ ସାରା ଜଗତର କଥା
ତା କଥା ଅବୁଝା ଆଜି
ଫନି ଯୋଗୁଁ ତାର ଦେଉଳରେ ପାଣି
ବରଷାରେ ଗଲା ଭିଜି ।
ଫନି ଦେଇଗଲା ଏମିତି ଯାତନା
କହୁଥିଲେ ସରିବନି
ହସ ଲୁଟିନେଲା ସବୁରି ଓଠରୁ
ଗରିବ ହେଉକି ଧନୀ ।.
