STORYMIRROR

Niranjan Mishra

Abstract

4  

Niranjan Mishra

Abstract

କାହ୍ନା ଆସୁଛି

କାହ୍ନା ଆସୁଛି

1 min
351


କାହ୍ନା ଆସୁଛି ତା ବଇଁଶୀଟି ଧରି

ଗୋପରେ ପଡୁଛି ହୁରି ।

ସଜବାଜ ଏବେ ହେଲେଣି ସରବେ

କାହ୍ନାର ଗୁଣ ସୁମରି ॥୧॥

ଦେଖିବେ କାହ୍ନାକୁ ଖେଳିବେ ତା ସଙ୍ଗେ

କେହି ବା କରିବେ ଅଳି ।

ଗୋପଗୋଈଗଣ ସହଜେ ବିକଳ

କରିବେ ସେ ରାସ କେଳି ॥୨॥

ରାଧା ମନପ୍ରାଣ ଅଛି କାହ୍ନା ସଙ୍ଗେ

କିଛି ନପାରଇ କହି ।

କାହ୍ନାର ଆସିବା ପଥକୁ ରାଧିକା

ବସିଅଛି ରହି ଚାହିଁ ॥୩॥

କଂସର ପ୍ରତାପ ବଢେ ଦିନୁଁଦିନ

ଧରଣୀ ନପାରେ ସହି ।

ବିକଳେ କରିଲା ରୋଦନ ଆବର

ବ୍ରହ୍ମାଙ୍କୁ ଜଣାଏ ଯାଇ ॥୪॥

ଭାରା ମୁଁ ସହିବା ହେଲାଣି ଦୁସ୍କର

ପ୍ରତିକାର କର ସାଇଁ ।

କୁଶପାଣି ଶୁଣି ଜଗନ୍ନାଥେ ଭଣି

କୃପା କରିବା ଗୋସାଇଁ ॥୫॥

ଧରଣୀର ଦୁଃଖ ହେଲା ଅପ୍ରମିତ

ଆଉ ସେ ନପାରେ ସହି ।

ଶୁଣି ଲକ୍ଷ୍ମୀପତି ବୋଲନ୍ତି ଭାରତୀ

କରୁଣା କଟାକ୍ଷେ ଚାହିଁ ॥୬॥

କିଛି ନ ବିଚାର ଗୋପେ ଜନମିବୁ

ଆମ୍ଭେ କିଛିଦିନେ ଯାଇ ।

ନାଶ କରି କଂସ ଧରଣୀ ଯାତନା

ବିନାଶିବୁ ସତ୍ଯ ଏଇ ॥୭॥

ଦେବକୀ ଉଦରୁ କଂସ ବନ୍ଦୀଘରେ

ଜନମ ହୋଇଲେ କାହ୍ନା ।

ଯେତେ ଲୀଳା କଲେ ଭାଗବତ ବୋଲେ

ବ୍ୟାସ କରିଲେ ବର୍ଣ୍ଣନା ॥୮॥

ପୂର୍ଣ୍ଣ ଏକଶତ ପଚିଶ ବରଷ

ଲୀଳା ଖେଳା କରି କାହ୍ନା ।

କଂସ କେଶୀ ଆଦି ଅସୁର ବିନାଶି

ଅମୃତ କଲେ ଯମୁନା ॥୯॥

ଧରାଭାରା ହରି ସ୍ୱବଂଶ ସଂହରି

ସ୍ବଧାମ ଗମିଲେ କାହ୍ନା ।

ପ୍ରତି ବରଷ ସେ ଜନ୍ମାଷ୍ଟମୀ ଦିନ

ଧରାକୁ ଆସନ୍ତି ସିନା ॥୧୦॥

ନାମ ଏକ ତାର ଯିଏ ଉଚ୍ଚାରଇ

ପଥେ ଯେ ସ୍ମରଣ କରେ ।

କାନରେ ତା ନାମ ପଡିଗଲେ ଥରେ

ସେ ନାମ ତାହାକୁ ତାରେ ॥୧୧॥

ଜନ୍ମାଷ୍ଟମୀ ଆସି ହୁଏ ଉପଗତ

କାହ୍ନା ଆସୁଛି ଆମର ।

ସ୍ୱାଗତ କରିବା ଶରଣ ପଶିବା

ସଂସାରୁ ହେବା ଉଦ୍ଧାର ॥୧୨॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract