କାହିଁ ଆତ୍ମହତ୍ୟା
କାହିଁ ଆତ୍ମହତ୍ୟା
ଏଇ ତୋ ବଦନ ନୁହେଁ ତୋର ଧନ
ଏତ ସାଇଁ ବରଦାନ,
ତୋ ଚିତ୍ତ ପରାଣ ସବୁ ତାର ଦାନ
ତା ପାଇଁ ସିନା ଜୀବନ।
କେତେ ପୁଣ୍ୟ ବଳେ ଏଇ ମହୀ କୋଳେ
ପାଇଛୁ ନର ଜନମ,
ବିବେକ ବିଚାର ବୁଦ୍ଧି ଥାଇ ତୋର
ବୁଝୁ ନାହୁଁ ତା ମରମ।
କେତେ ଜୀବ ଥାଇ ତତେ ସାଇଁ କାହିଁ
ବିଶ୍ୱେ କଲେ ବର ଜୀବ,
ଭାଳିଚୁ କି ତିଳେ ତୋ ଜୀବନ କାଳେ
କିସ ଅଛି ତାର ଭାବ ।
କେବଳ ତୋହର ନୁହେଁ ଏ ଶରୀର
ଏତ ସଭିଁଙ୍କର ଧନ,
କାର ତୁହି ପିତା କାର ପୁଣି ଭ୍ରାତା
କାର ତୁ ଅଟୁ ସନ୍ତାନ।
ତୋ ଜନମ କାଳେ ତୋର ନିଜ କୁଳେ
କେ ଦେଖେ କେତେ ସପନ,
କେତେ କେତେ ଆଶା କେତେ ଯେ ଭରସା
କେ ରଖେ କେତେ ଯେ ଧ୍ୟାନ।
ତୋର ପରିବାର ସାଥେ ପ୍ରିୟ ନର
ସର୍ବେ ଥାଇ ତୋର ପାଶେ,
ଆତ୍ମହତ୍ୟା ଭଳି ଏତେ ହୀନ କାର୍ଯ୍ୟ
କାହିଁ ତୋର ଶୀରେ ଆସେ ।
ସବୁ ପାପ ପାଇଁ ଅଛି ପ୍ରାୟଶ୍ଚିତ
ସବୁ ଭୁଲ ପାଇଁ କ୍ଷମା,
ତେବେ ତୁହି କାହିଁ ଲଂଘୁ ଅଛୁ ଯହିଁ
ଜୀବନର ଶେଷ ସୀମା।
ଭୀରୁ ପରି ତୁହି ଏ ସଂସାର ଛାଡି
ଯାଉଚୁ ସିନା ସଅଳ,
ତୋ ପାଇଁ କେ କେତେ ନିନ୍ଦା ଶୁଣେ ମର୍ତ୍ତ୍ୟେ
କେ ଝରାଏ ଅଶ୍ରୁଜଳ।
ବୃଦ୍ଧ ପିତା ମାତା ପା'ନ୍ତି କେତେ ବ୍ୟଥା
ତୋର ଆତ୍ମହତ୍ୟା ପାଇଁ,
ତୋ ପତ୍ନୀ ସନ୍ତାନ ଝୁରି ଦିନୁଁ ଦିନ
କାନ୍ଦୁଥାନ୍ତି କଇଁ କଇଁ।
ବୃଦ୍ଧ କାଳେ ଯହିଁ ପିତା ମାତା ପାଇଁ
କେ ହୋଇବ ଆଶା ବାଡ଼ି,
ଶେଷ ଯାତ୍ରା କାଳେ କାର କାନ୍ଧ ବଳେ
ଯିବେ ମର୍ତ୍ତ୍ୟପୁର ଛାଡି।
ତୋ ସନ୍ତାନଗଣ ବାପା ବୋଲି କାରେ
ଡାକିବେ କହ ଏ ମର୍ତ୍ତ୍ୟେ,
ତାର ଭବିଷ୍ୟତ କରି ଦେଇ ଅନ୍ତ
କି ଯଶ ପାଉଚୁ ସତେ ।
ଭାଇ ଭାଇ ଡାକି କାର ହାତେ ରାକ୍ଷୀ
ବାନ୍ଧିବ ଭଗିନୀ ତୋର,
କିଏ ଦେବ ବଳ ପୋଛି ଅଶ୍ରୁ ଜଳ
କେ ରଖିବ ମାନ ତାର।
ଯେ'ଦେଶେ ଜନମ ହୋଇ ଧନମଣି
ଯାକୋଳେ ବଢିଚୁ ତୁହି,
ତାର ସେଇ ଋଣ ଭୁଲି ଯାଇ ଧନ
କେମନ୍ତ ଗଲୁ ତୁ ଶୋଇ।
ଏମନ୍ତ ସମସ୍ୟା ଅଛି କା ଜୀବନେ
ଯାର ନାହିଁ ସମାଧାନ,
ଧୀ ଶକତି ବଳେ ସାହସର ମେଳେ
ଦୂର ହୁଏ ବାଧା ବିଘ୍ନ।
ଐରାବତ ଯହିଁ ପଥେ ଚାଲୁଥାଇ
ଭୁକନ୍ତି କେତେ ଯେ ଶ୍ବାନ,
ତିଳେ ସେ ନରହି ପଛକୁ ନଚାହିଁ
କରମେ ଦିଅଇ ମନ।
ତୁ ପରା ମଣିଷ କେ ତୋହର ସମ
ଛନ୍ତି କି ଏଇ ଜଗତେ,
ବର ଜୀବ ହୋଇ ଏତେ ହୀନ କାହିଁ
ହେଉଚୁ ତୁ ଧନ ମର୍ତ୍ତ୍ୟେ।
ଜୀବନର ଶେଷ ରକ୍ତ ବିନ୍ଦୁ ଯାଏଁ
କେତେ ଯେ ସମସ୍ୟା ଅଛି,
ସବୁ ସମସ୍ୟାର ସମାଧାନ ବାଟ
ତୋ ଶୀରେ ପରା ଭରିଚି।
ସମସ୍ୟା କାଳେ ତୁ ନହୋଇଣ ବ୍ୟସ୍ତ
ଶାନ୍ତ କଲେ ତୋର ଚିତ୍ତ,
ତୋ ଆତ୍ମବିଶ୍ବାସ ତା ସାଥେ ସାହସ
ଦେଖାଇବ ତତେ ପଥ।
ଗୁରୁ ଗୁରୁଜନ ଅବା ଭଲ ଜନ
ସାଥେ କଲେ ଆଲୋଚନା,
ସମସ୍ୟାର ସୂତ୍ର ଦେଖାଇବେ ସେତ
ଉଡାଇ ତୋ ଜୟ ବାନା।