କାହାଣୀ ମୋ ବାବାଜୀର
କାହାଣୀ ମୋ ବାବାଜୀର
ଅତି ଆଦରରେ ପାଳିଥିଲି ଭାଇ
ଦେଶୀ ଗଞ୍ଜାଟିଏ ମୁହିଁ,
ଖୁଦ, ମୁଢ଼ି ,ଚୂଡା ,ଭାତ ଓ ଚାଉଳ
ଟାଉ ଟାଉ ଯାଏ ଖାଇ।
ପୋଷା ମାନିଗଲା ମୋତେ ନଛାଡ଼ିଲା
ପଛେ ପଛେ ମୋର ଧାଏଁ,
ତାକୁ ଝୋଳ କରି ଖାଇବା ପାଇଁ ମୋ
ମନଟି ବଳୁ ନ ଥାଏ।
ବାବାଜୀ କରି ମୁଁ ରଖିଥିଲି ତାର
ନାଁ ବାବା ଦେଇଥିଲି,
କ କ କରି ଦଉଡି ଆସେ ସେ
ଯେବେ ମୁହିଁ ଡାକୁଥିଲି।
ପାହାନ୍ତି ପ୍ରହରୁ ରାବଦେଇ ସିଏ
ନିଦ ମୋର ଭାଙ୍ଗୁଥିଲା,
ରାମପକ୍ଷୀ ତାର ନାଁ ସିନା ହେଲେ
କୃଷ୍ଣ ଲୀଳା କରୁଥିଲା।
ଜାଣି ମୁଁ ନ ଥିଲି ବାବାଜୀ ମୋହର
ରୋମିଓ ବୟଟି ଥିଲା,
ପଡିଶା ଘରର ପେଣ୍ଠି ମାତା ସ଼ହ
ଲଭ୍ ସେ କରୁଥିଲା।
ବଳଦ ଭଳିଆ ବନ୍ଧା ହେବାପାଇଁ
ବାବା ମୋର ଚାହେଁ ନାହିଁ,
ତେଣୁ ଷଣ୍ଢଭଳି ଏଣେ ତେଣେ ବୁଲି
ଖାଏ ସେ ଥଣ୍ଟ ପୁରେଇ।
ଦେଖୁ ଦେଖୁ ମାତା ହେଲା ଅନ୍ତଃସତ୍ତ୍ଵା
ନିତି ଆସିଲା ମୋ ଘରେ,
ଆନନ୍ଦରେ ବସି ବଡ଼ ବଡ଼ ଅଣ୍ଡା
ଦେଲା ସିଏ ମୋ ପିଣ୍ଡାରେ।
ମାତା ଦେଉଥିଲା ଅଣ୍ଡା ଗୁଡା ଆମେ
ଆନନ୍ଦରେ ଖାଉଥିଲୁ,
ଦିନେ ତା' ମାଲିକ ଶୁକୁଟି ଆଖିରେ
ହଠାତ୍ ଯେ ପଡିଗଲୁ।
ଶୁକୁଟି ନାନୀଟି ଚିଲେଇଲା ପାଟି
ମନ ଇଚ୍ଛା ଗାଳିଦେଲା,
ମୋ ଗଞ୍ଜା ନାଁ ରେ ଏଣୁତେଣୁ କହି
ବଦନାମ ଦେଇଦେଲା।
ଆଉ ଛାଡିଲାନି ପେଣ୍ଠିକୁ ତାହାର
ଭାଡି ଭିତରେ ରଖିଲା,
ମୋ ବାବାଜୀର ପାଥାଟିକ୍ ସିନ୍
ସେଇଠୁଁ ଆରମ୍ଭ ହେଲା।
ଆଉ ପାଇଲାନି ମାତାକୁ ମୋ ବାବା
ବିରହୀ ପ୍ରେମିକ ସାଜି,
ଦେଖୁ ଦେଖୁ କଳା କାଠ ପଡିଗଲା
ମାତାକୁ ସେ ଖୋଜି ଖୋଜି।
ହତାଶା ନାୟକ ଭଳିଆ ମୋ ବାବା
ବିରହୀ ସଙ୍ଗୀତ ଗାଇ,
କାହିଁ ଛାଡି ଗଲୁ ପ୍ରେମିକା ମୋହର
ମୋତେ ଏକା କରି ଦେଇ ?
ତୋ ମନେ ଯଦି ଏତେ କଥା ଥିଲା
କାହିଁ ଭଲ ପାଉଥିଲୁ,
ପ୍ରତାରଣା ଦେଇ ଭୁଲିଗଲୁ ମାତା
ମୋତେ ଜଳେଇ ମାରିଲୁ।
ପ୍ରେମ ବିଚ୍ଛେଦର ଗୀତ ଗାଇ ବାବା
ଦାଣ୍ଡେ ଯାଉଥିଲା ବେଳେ,
ବଣୁଆ କଟାସ ହାବୁଡେ ପଡ଼ିଲା
ବାବା ଠିକ୍ ସେତେବେଳେ।
କଟାସ ବାବାକୁ ଝାମ୍ଫ ମାରିଦେଲା
ବେଳେ ମୁଁ ପହଞ୍ଚିଗଲି,
ସେତେବେଳକୁ ମୋବାବା ଡେଡ୍ ବଡି
ହାତେ ଉଠେଇ ଧଇଲି।
ଆଖିରୁ ଦି'ଧାରେ ଲୁହ ଗଡିଗଲା
ତା' ଗୁଣକୁ ଭାବି ଭାବି,
ମୋଘର ପଛରେ ଗାତ ଖୋଳି ତାକୁ
ଭାବିଲି ସମାଧି ଦେବି।
ମୋ ବାବା ଶବକୁ ସମାଧି ଦେଇ ମୁଁ
ସଂସ୍କାର କରିଲା ବେଳେ,
ଅନେକ କୁକୁଡ଼ା ଉପସ୍ଥିତ ରହି
ଆଖିରୁ ଲୁହ ଢାଳିଲେ।
ବାବା ସ୍ମୃତି ସଭା କରାଇବା ପାଇଁ
କବିମାନଙ୍କୁ ଡାକିଲି,
ବାବାଙ୍କ ଉଦ୍ଦେଶ୍ଯେ କବିତା ପାଠରେ
ଶ୍ରଦ୍ଧାଞ୍ଜଳୀ ତାକୁ ଦେଲି।
ଲଙ୍ଗଳା ଛୁଆଙ୍କୁ ଡାକିଦେଇ ବାଳ
ଭୋଜନ ମୁଁ ଖୁଆଇଲି,
ମୁଁ ମୂର୍ଖ ଅପର୍ତ୍ତି ବାବାକୁ ସପନ
କାଲି ରାତିରେ ଦେଖିଲି।
