କାହାକୁ କହି ପାରେନି
କାହାକୁ କହି ପାରେନି
ଜହ୍ନ ହସୁଥିଲା ତାରା ହସୁଥିଲା
ହସୁଥିଲା ଏ ମେଦିନୀ
ଆଜିବି ହସୁଛି ଜହ୍ନ ତାରା ସେଠି
ମେଦିନୀ ହସି ପାରୁନି
ତାର, ବଳିଲା ଦୁଃଖ କାହାଣୀ
କାନ୍ଦୁଛି ହୃଦୟ ପାଗଳ ପରାୟ
କାହାକୁ କହି ହୁଏନି ।
କୋଳେଇ ନେଲା ସେ ଯାହାକୁ କୋଳରେ
ସେ ହେଲା ତାର ବଇରୀ
ଦୁଆରକୁ କିଳି କାନ୍ଦେ ବିଳି ବିଳି
କରିବ କା'କୁ ଗୁହାରି
ସର୍ବେ,ସ୍ୱାର୍ଥକୁ କରିଲେ ଶିରି
ନିଜ ସୁଖ ପାଇଁ ଦୁନିଆଁ ସୁଖକୁ
ଦେଇଦେଲେ ଜଳାଞ୍ଜଳି ।
ବକ୍ଷ ତାର ଚିରି ଶୋଚନା ନ କରି
ହରି ଅମୂଲ୍ୟ ସମ୍ପଦ
ଛିଡା କଲେ ହୃଦେ କମ୍ପାନୀ ଯେ କେତେ
ନାଶିଲେ ବନ୍ୟ ସମ୍ପଦ
ନଦୀ,ଜଳକୁ କଲେ ବିଷାକ୍ତ
ବେପରୁଆ ଗାଡି ଧୂଳି ଧୁଆଁ ଛାଡି
କଲାଣି ବାୟୁ ଦୂଷିତ ।
କେଉଁଠାରେ ନାହିଁ ଦଣ୍ଡା ପଡିଆଟେ
ଗୋଚର ହେଲାଣି ଚାଷ
ଯୁଆଡ଼େ ଚାହିଁଲେ ହା ହା କାର ଦିଶେ
ବିଦେଶୀ କଂପାନୀ ବାସ
ଏଠି,କାହାକୁ ବା ଦେବା ଦୋଷ
ସ୍ବାର୍ଥ ପାଇଁ ସର୍ବେ ପ୍ରକୃତି ବକ୍ଷରେ
ଭରି ଦେଉଛନ୍ତି ବିଷ ।
ମଣିଷର କଲା କର୍ମ ଭୋଗେ ପରା
ଭାଗ୍ୟକୁ ଦୋଷଟି ଦେଇ
ଜାଣୁଛି ଶୁଣୁଛି ସବୁ ସେ ଭେଉଁଛି
ସ୍ୱାର୍ଥକୁ ସାଉଁଟି ନେଇ
କାନ୍ଦେ,ବସୁମାତା କଇଁ କଇଁ
ଯେତେ ହେଉ ଦୁଷ୍ଟ ସନ୍ତାନଙ୍କ କଷ୍ଟ
ମାଆକୁ ସବୁ ବାଧଇ ।
ଆକାଶକୁ ଚାହିଁ ନିତି ଦେଖୁଥାଇ
ଜହ୍ନ ତାରା ମୁହେଁ ହସ
ଶୁଖିଲା ମୁହଁରେ ନିକୁଟି ହସେରେ
ଦେଇ ନିଜ କର୍ମ ଦୋଷ
ଏବେ,କେଉଁଠି ହୋଇବ ଶେଷ
ଅବୁଝା ସନ୍ତାନେ ବୁଝିନେବେ ଦିନେ
ଯେବେ ହେବ ସର୍ବନାଶ ।
