ଜୟ ଯୌଥ ପରିବାର
ଜୟ ଯୌଥ ପରିବାର


"ବୈକୁଣ୍ଠ ସମାନ ଆହା ଅଟେ ସେହି ଘର
ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର "
ଭକ୍ତକବି ମଧୁସୂଦନଙ୍କ ଏ ମଧୁମୟ ବାଣୀ ଯୁଗ ଯୁଗାନ୍ତର ଏକ ସ୍ନେହ ଅଭ୍ରାନ୍ତ ସତ୍ୟର ପ୍ରତିପାଦନ କରୁଥିବ |ସ୍ନେହ ପ୍ରେମ,ତ୍ୟାଗ,ସହଯୋଗ,
ଉଦାରତା, ପରୋପକାରିତା, ମାନବିକତା ସତ୍ୟ ଧର୍ମ, ଦୟା, କ୍ଷମା ଆଦି ଆଦର୍ଶବାଦର ଏତୁ୍ଡିଶାଳ ଯୌଥ ପରିବାର |ଏ ପରିବାରରେ ଜନ୍ମିତ ଶିଶୁ ସମାଜପାଇଁ ଆଦର୍ଶ ସାଜେ |ଏହିଭଳି ଏକ ଯୌଥ ପରିବାରର ମୁଖ୍ୟ ହିସାବରେ ମୁଁ ଜଗନ୍ନାଥ ବାରିକ, ପିତା ସ୍ୱର୍ଗତ ଧ୍ରୁବ ଚରଣ ବାରିକ, ଗ୍ରାମ ଚଣ୍ଡୀମଙ୍ଗଳ, ଥାନା ବଡ଼ମ୍ବା, ଜିଲ୍ଲା କଟକ ନିଜକୁ ଗର୍ବିତ ମନେକରେ |ମୋର ବୟସ 69, ସାନଭାଇର ବସନ୍ତର ବୟସ ପ୍ରାୟ 59| ନିମ୍ନ ମଧ୍ୟବିତ୍ତ ପରିବାର | ଗୃହର ସଦସ୍ୟ, ସଦସ୍ୟାଙ୍କ ସଂଖ୍ୟା 14, ଏକଦା ସଦସ୍ୟଙ୍କ ସଂଖ୍ୟା 18ଥିଲା |ମୋର ଦୁଇ ପୁଅ ମାନସ ରଞ୍ଜନ, ମଳୟ ରଞ୍ଜନ,ପୁତୁରା ତାପସ କୁମାର ବୈଷୟିକ ଶିକ୍ଷା ଲାଭକରି ରୋଜଗାରକ୍ଷମ |ଝିଅ ମନୋରମା, ଝିଆରୀ ପ୍ରବାସିନୀ ଓ ରୋଜାଲିନ ସହିତ ଦୁଇ ଭାଣେଜୀ ସନ୍ତୋଷିନୀ, ରଶ୍ମିତା |ଏମାନେ ଉଚ୍ଚ ଶିକ୍ଷା ଲାଭକରି ବିବାହିତା |ଭଣଜା ଜିତେନ୍ଦ୍ର, ନୃସିଂହ, ଶେଷଦେବ ସମସ୍ତେ ବୈଷୟିକ ଶିକ୍ଷା ପ୍ରାପ୍ତ, ସ୍ୱଳ୍ପ ରୋଜଗାର କ୍ଷମ |ସାନଭାଇ ବସନ୍ତ ଅଗ୍ନିଶ୍ରମ ବିଭଗରେ କାର୍ଯ୍ୟରତ, ଆଉ ବର୍ଷେ ପରେ ଅବସର ନେବ |ମୁଁ ଜଣେ ପ୍ରାଥମିକ ଶିକ୍ଷକ,ଅବସର ପ୍ରାପ୍ତ |ଆମ ଗୃହରେ ସମ୍ପର୍କୀୟ ସାନଭାଇ, ଯେଉଁମାନେ ମୋତେ ଗୃହକର୍ମରେ ନିରନ୍ତର ସାହାଯ୍ୟ କରୁଥିଲେ, ସେମାନଙ୍କ ପୁଅ ଝିଅ ମଧ୍ୟ ମୋ ସାହାଯ୍ୟ ସହଯୋଗରେ ଆଜି ବୈଷୟିକ ତାଲିମ ନେଇ ଉଚ୍ଚ ପଦବୀରେ ଅଧିଷ୍ଠିତ | ଗ୍ରାମର ଶିକ୍ଷିତ ଯୁବକ ଯୁବତୀଙ୍କୁ ସମୁଚିତ ମାର୍ଗ ଦର୍ଶାଇ ଯୋଗ୍ୟତା ଅନୁରୂପେ ଚାକିରୀ ପାଇବାର ପ୍ରେରଣା ଯୋଗାଇ ପାରିଛି |ଗ୍ରାମ ସଭାରେ ବସି ଉନ୍ନୟନ ଯୋଜନା,ନ୍ୟାୟ ନିଶାପ, କଳି ସମାଧାନ, ଜମି ମାପ ବଣ୍ଟନ, ରାଜନୈତିକ, ସାମାଜିକ ସହଯୋଗରେ ଜଣେ ଉତ୍ତମ ସଂଗଠକ ରୂପେ ଉଚ୍ଚ ପ୍ରଶଂସିତ |ଶାନ୍ତିର ଏ ତପୋବନରେ ମମତାର ଅମୀୟ ମନ୍ଦାକିନୀ ନିର୍ଝର ନିୟତ ପ୍ରବାହମାନ |ଏବେ ପୁଅ ଝିଅ ସବୁ ବିଭା ହୋଇ ଓଡ଼ିଶା ସରକାର ଅଧୀନରେ ଚାକିରୀ କରି ନିଜ ନିଜ ସ୍ଥାନରେ ରହୁଛନ୍ତି |ସମସ୍ତେ ନିଜସ୍ୱ ବଳରେ ବଳୀୟାନ |ମୋ ଉପରେ କେହି ନିର୍ଭରଶୀଳ ନ
ୁହନ୍ତି |କିନ୍ତୁ ସମଗ୍ର ପରିବାରର ଦାୟିତ୍ୱ, ବନ୍ଧୁ ବାନ୍ଧବ, ଜମି ବାଡ଼ି ଆଦିର ସମସ୍ତ ବନ୍ଦୋବସ୍ତ ମୋ କାନ୍ଧରେ ନ୍ୟସ୍ତ |ମୋ ପରେ ବଡ଼ପୁଅ, ମାନସ ଯେ କି ତ୍ୟାଗ ଆଦର୍ଶର ମୂର୍ତ୍ତିମନ୍ତ ପ୍ରତୀକ, ସେ ଘରକୁ ସମ୍ଭାଳିବାର ଆଶା ରଖେ |ଅବଶ୍ୟ ଆଜିକାଲିର ନକଲି ଭେଜାଲ ସ୍ୱାର୍ଥ ସର୍ବସ୍ୱ ଦୁନିଆରେ ଏହାକୁ ଧରି ରଖିବା କେତେ ଦୁରୁହ ଜଣେ ଅନୁଭଵି ହିଁ ବୁଝି ପାରିବ |ପାଞ୍ଚ ମନ ଏକ କରି ଦୀପ ଶିଖାପରି ନିଜେ ଜଳି ଜଳି ଅପରଙ୍କୁ ଆନନ୍ଦ ଦେବାରେ ଯେଉଁ ଅପାର ନୈସର୍ଗିକ ସୁଖ ମିଳେ ତାହା ଆଜି ମୋତେ ପ୍ରାପ୍ତ ହୋଇଛି |ଆଜି ମୁଁ ସମାଜରେ କବି,ଲେଖକ ସମାଜ ସେଵୀ, ପ୍ରକୃତି ପ୍ରେମୀ ହିସାବରେ ସୁପରିଚିତ |ଈଶ୍ୱରଙ୍କୁ କୋଟି ଧନ୍ୟବାଦ, ପ୍ରଣିପାତ, ସରଳ ନିରଲସ ନିରାମୟ ଶରୀର ପ୍ରଦାନ କରି ସାଧନା ପଥକୁ କୁସୁମିତ କରିଛନ୍ତି |କବି କମଳ ସାହିତ୍ୟ ଭୂଷଣ କାବ୍ୟ ମହାରଥୀ ଆଦି ସମ୍ମାନରେ ସମ୍ମାନିତ |ଆଦର୍ଶ ଶିକ୍ଷକ ହିସାବରେ ମହାମହିମ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂହ ପାଟିଲଙ୍କ ଠାରୁ ପୁରସ୍କାର ପ୍ରାପ୍ତ |ପ୍ରାଚୀନ ହିନ୍ଦୁ ଯୌଥ ପରିବାର ଆଜି ଲଙ୍କାରେ ହରିଶବ୍ଦ ପରି ବିଲୁପ୍ତ ପ୍ରାୟ |ଯେଉଁଠି ଏହି ମହାନ ଆଦର୍ଶ ଅଛି, ସେହି ପୁଣ୍ୟ ସଦନକୁ ମୋର କୋଟି ପ୍ରଣତି |ପ୍ରାୟତଃ ସୁସନ୍ତାନ ସୃଷ୍ଟିରେ ଯୌଥ ପରିବାରର ଭୂମିକା ବନ୍ଦନୀୟ |
ଆଜି ଜଡ଼ବାଦୀ ପାଶ୍ଚାତ୍ୟ ଶିକ୍ଷାର ପ୍ରଭାବରେ ସମାଜ କଳୁଷିତ ଅଧୋପତିତ | ଅର୍ଥ ସର୍ବସ୍ୱ ସ୍ୱାର୍ଥସର୍ବସ୍ୱ ହେତୁବାଦୀ ଯାନ୍ତ୍ରିକ ମାନବ ଦୟା କ୍ଷମା ତ୍ୟାଗର ମହତ୍ୱ ଭୁଲି ଗଲାଣି |ଏପରିକି ରକ୍ତ ସମ୍ପର୍କକୁ ଭୁଲି ଭାଇକୁ ଭଗାରି, ଭଉଣୀକୁ ପର ଗୋତ୍ରୀ, ପିତାମାତାଙ୍କୁ ଜରାଶ୍ରମରେ ରଖି, ଆତ୍ମୀୟ ସ୍ୱଜନଙ୍କୁ ହତାଦର କରି ଏକ ସଂକୀର୍ଣ୍ଣ ମାନସିକତାରେ ଅଣୁ ପରିବାର (ସସ୍ତ୍ରିକ, ନିଜ ପିଲା )ସୃଷ୍ଟି କରି ଯୌଥ ପରିବାରକୁ ଭାଙ୍ଗି ଖଣ୍ଡ କରି ଦେଉଛି |ଭିଟାମାଟିର ମୋହ ଛାଡ଼ି କୃତ୍ରିମ ସହରି ସଭ୍ୟତାର ପୁଛ ଧରି ଅର୍ଥ ଓ ନାରୀବଶା ହୋଇ ଶୂନ୍ୟତାର ଘୁର୍ଣ୍ଣି ବଳୟରେ ଭାସମାନ |ଯୌଥ ପରିବାରରେ ଜନ୍ମ ନେଇ ଉଚ୍ଚ ଶିକ୍ଷିତ ହୋଇ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ହୋଇ ନିଜର ମୌଳିକ ଭିତ୍ତି ଭୂମିକୁ ଭୁଲି ବଜାରୀ ସଭ୍ୟତାର ଅନୁସରଣ ପାଇଁ ତାକୁ ଦିନେ ଘୋର ଅନୁତାପ କରିବାକୁ ପଡ଼ିବ, ନିଃସନ୍ଦେହ |