STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଜୟ ମାଆ ଭଟ୍ଟାରିକା

ଜୟ ମାଆ ଭଟ୍ଟାରିକା

3 mins
323


ମାଆ ଭଟ୍ଟାରିକା ମହିମା ମୟୀ ଗୋ

ବୃହଦମ୍ବା ଗଡ଼ ଦେବୀ

ବେଳ ଅବେଳରେ ସାହା ହୋଇଥାଅ

ତୁମକୁ ହୋଇଲେ ଭାବି।

ସତ୍ୟ ଯୁଗରୁ ମା ପୂଜା ପାଉଅଛ

କିମ୍ବଦନ୍ତୀ ଯାଏ କହି

କୂଳୁକୁଳୁ ବହି ମହାନଦୀ ଜଳ

ପାଦ ଯାଏ ତୁମ‌ ଧୋଇ ।

ପୂଣ୍ୟତୋୟା ମହାନଦୀର କୂଳରେ

ରତ୍ନଗିରି ପରବତ

ସବୁଜ ସୁନ୍ଦର ଘନ ବନ ରାଜି

ଅପୂର୍ବ ଶୋଭା ମଣ୍ଡିତ।

ସେହି ପରବତ ପାଦେ ପ୍ରତିଷ୍ଠିତ

ମାଆଙ୍କ ଭବ୍ୟ ମନ୍ଦିର

ସୁଷମା ରେ ଭରା ସେହି ପୂଣ୍ୟ ପୀଠ

ଦିଶଇ ଭାରି ସୁନ୍ଦର।

ବୃହଦମ୍ବା ଗଡ଼ ବଡ଼ମ୍ବା ଏବେଲୋ

ପାଖରେ ସସାଙ୍ଗ ଗାଆଁ

ସେ ଗାଁଆର ପାଣି ପବନ ଘୋଷଇ

ମାଆ ଗୋ ତୁମରି ନାଆଁ।

ମହାନଦୀ ଦିଶେ ଭାରି ଭୟଙ୍କର

ତୁମରି ଚରଣ ତଳେ

ତୁମରି ଆଶିଷ ବାରିଧାରା ସତେ

ଉଛୁଳେ ତାହାରି ଜଳେ ।

କିମ୍ବଦନ୍ତୀ କହେ ବୀର ପର୍ଶୁରାମ

ଉତ୍କଳ ଭ୍ରମଣ କାଳେ

ଧ୍ୟାନ କରୁଥିଲେ ମହାନଦୀ କୂଳେ

ରତ୍ନଗିରି ପାଦ ତଳେ ।

ଯେଉଁ ଶିଳା ପରେ ଦିନ ଦିନ ଧରି

କରୁଥିଲେ ତପ ସେତ

ପର୍ଶୁରାମ ଶିଳା ଭାବେ ସେ ପଥର

ହୋଇଅଛି ଆଜି କ୍ଷାତ ।

ସର ମୁନେ ବୀର ମାଆଙ୍କ ମୂରତି

ଶିଳା ଦେହେ ଆଙ୍କି ଥିଲେ

ପ୍ରତିଷ୍ଠା କରି ସେ ମାଆଙ୍କୁ ସେଠାରେ

ଭକତିରେ ପୁଜୁଥିଲେ ।

ବନବାସ କାଳେ ପ୍ରଭୁ ରାମଚନ୍ଦ୍ର

ସେ ପୀଠକୁ ଆସିଥିଲେ

ମାତା ଜାନକୀ ତ ଭଟ୍ଟାରିକାଙ୍କର

ଆରାଧନା କରିଥିଲେ।

ଇତିହାସ କହେ ବୃହଦମ୍ବା ରାଜା

ଥିଲେ ଜଣେ ବନବାସୀ

ଭଟ୍ଟାରିକାଙ୍କର ଭକ୍ତ ଥିଲେ ରାଜା

ନିତି ପୂଜୁଥିଲେ ଆସି ।

ହଟ୍ଟକେଶ୍ବରକୁ ମଲ୍ଲକେଶ୍ବର ସେ

ବଳଶାଳୀ ଦୁଇ ଭାଇ

ବୃହଦମ୍ବା ଗଡ଼ କଲେ ଅଧିକାର

ରାଜାଙ୍କୁ ଦେଲେ ହଟାଇ ।

ସେହି ଦୁଇ ଭାଇ ମାଆଙ୍କ ପାଦରେ

ଜୀବନ ସମର୍ପି ଦେଲେ

ମାଆଙ୍କ ପାଇଁକି ସୁନ୍ଦର ମନ୍ଦିର

ସେହିମାନେ ଗଢି ଥିଲେ।

ମାଆଙ୍କର ପୂଜା ଅରଚନା ପାଇଁ

ବ୍ୟବସ୍ଥା କରିଲେ ସେତ

ସସାଙ୍ଗ ଗାଆଁର ମାଳିମାନଙ୍କୁ ସେ

ଦେଲେତ ପୂଜା ଦାୟିତ୍ଵ ।

ମାଆଙ୍କ ମନ୍ଦିର ପଶ୍ଚିମାଭିମୂଖି

ମହାନଦୀ ଆଡେ ଚାହିଁ

ପ୍ରଖର ଶୂଅରେ ବହେ ନଦୀ ଜଳ

ମାଆଙ୍କ ମହିମା ଗାଇ ।

ମନ୍ଦିର ସମ୍ମୁଖେ ମୂଖଶାଳା ସେତ

ବଢାଏ ମନ୍ଦିର ଶୋଭା

ପୀଠ ଚଉଦିଗେ ଦେବଦେବୀଙ୍କର

ବସିଅଛି ସତେ ସଭା ।

ମନ୍ଦିର ର ଚଉବନ୍ଧେ ବିରାଜିତ

ନବଗ୍ରହ , ମହାଲକ୍ଷ୍ମୀ

ମୂଖଶାଳା ବାମ ଭାଗରେ ଗଣେଶ

ଦକ୍ଷିଣ ରେ ସୂର୍ଯ୍ୟ ଛନ୍ତି।

ମାଆଙ୍କ ଆଗରେ ଜଗମୋହନରେ

ବାହାନ ତାଙ୍କର ସିଂହ

ଗଜ ଉପରେ ସେ ବସି ରହିଅଛି

ମାଆଙ୍କୁ କରି ସେ ମୁହଁ।

ପାର୍ଶ୍ଵ ଦେବଦେବୀ ଗଣେଶ କାର୍ତ୍ତିକ

ମହିଷମର୍ଦ୍ଦିନୀ ଦୁର୍ଗା

ଅଷ୍ଟ ରୁଦ୍ର ମୂର୍ତ୍ତି ମନ୍ଦିର ଉତ୍ତର

କାନ୍ଥର ବଢାନ୍ତି ଶୋଭା ।

ମନ୍ଦିର ଉତ୍ତର-ପଶ୍ଚିମ କୋଣରେ

ବୁଦ୍ଧ ମୂର୍ତ୍ତି ଟିଏ ଛନ୍ତି

ତନ୍ତ୍ର ଯାନି ଙ୍କର ଆରାଧ୍ୟା ବୋଲି ମା

କହେ ପୁଣି କିମ୍ବଦନ୍ତୀ।

ମୁଖ୍ୟ ମନ୍ଦିରରେ ରହିଅଛି ଏକ

ପ୍ରସ୍ତର ନିର୍ମିତ ବେଦି

ସେହି ବେଦି ପରେ ବିରାଜମାନ ମା

ମାଆ ଭଟ୍ଟାରିକା ଦେବୀ ।

ରାଜରାଜେଶ୍ବରୀ ମାଆ ମହାମାୟା,

ତ୍ରୀପୁରା ସୁନ୍ଦରୀ ଭାବେ

ପୂଜା ପାଇଥାନ୍ତି ମାଆ ଭଟ୍ଟାରିକା

ଜଗତ ଜନନୀ ସେଯେ ।

ଦୁଇଭୁଜା ଦେବୀ ବରଦା ମୁଦ୍ରାରେ

କୃପା ବାରି ବିତରନ୍ତି

ଗୋଟିଏ ଶିଳାରେ ମାଆଙ୍କ ସହିତ

ଆଠଜଣ ଦେବୀ ଛନ୍ତି ।

ଉଗ୍ରା,ଉଗ୍ରପ୍ରଭା ଶକଟା,ବିକଟା

ଦୁର୍ଗା ମହାଲକ୍ଷ୍ମୀ ପୁଣି

ଚଣ୍ଡା ପ୍ରଚଣ୍ଡା ସେ ଅଷ୍ଟ ମହା ଦେବୀ

କମନୀୟ ତାଙ୍କ ଠାଣି ।

ଅଷ୍ଟ ଦେବୀଙ୍କର ମଝିରେ ଅଙ୍କିତ

ଶିଳା ଉପରେ ଶ୍ରୀଚକ୍ର

ସେହି ଚକ୍ରପରେ ଲଳିତ ମୁଦ୍ରା ରେ

ଅଙ୍କା ମାଆଙ୍କର ଚିତ୍ର।

ଚକ୍ର ପରେ ଜେଣୁ ବିରାଜିତା ମାଆ

ନାମ ତେଣୁ ଚକ୍ରେଶ୍ବରୀ

ହାତ ରୁ ତାଙ୍କର ଝର ଝର ହୋଇ

ଝରଇ ଆଶିଷ ବାରି ।

ରାତି ନପାହୁଣୁ ମାଆଙ୍କ ମନ୍ଦିର

ପହଡ ନିତି ଖୋଲଇ

ମଧ୍ୟାହ୍ନ ରେ ଭୋଗ ଲାଗି ହେବା ପରେ

ପହଡ ପୁଣି ପଡ଼ଇ ।

ଦିନ ଯେତେବେଳେ ଆସଇ ମଉଳି

ଦେଉଳ ଦୁଆର ଖୋଲେ

ସଞ୍ଜରେ ମାଆଙ୍କୁ ଆଳତୀ ଅର୍ପଣ

ଘଣ୍ଟ ଘଣ୍ଟା ଢୋଲ ତାଳେ ।

ରାତି ଦିଘଡିରେ ପହୁଡ଼ ଆଳତି

ଧୂପଦୀପ ବନ୍ଦାପନା

ପହୁଡନ୍ତି ମାଆ ଶୟନ ବେଦିରେ

ସରିଗଲେ ଅରଚନା।

ସକାଳେ ସନ୍ଧ୍ୟାରେ ମିଠା ପିଠା ଭୋଗ

ମଧ୍ୟାହ୍ନେ ଅନ୍ନ ବ୍ୟଞ୍ଜନ

ଅନ୍ନ ସାଥେ ହୁଏ ମାଛ ଭଜା ଭୋଗ

ସପ୍ତାହର ସବୁଦିନ ।

ମାଆ ଭଟ୍ଟାରିକା ଦେବୀ ଦୁର୍ଗା ରୂପେ

ହୋଇଛନ୍ତି ଅବତିର୍ଣ୍ଣ

ଦଶହରା ତାଙ୍କ ବଡ ପରବ ତ

ବରଷ ଭିତରେ ଜାଣ ।

ମୂଳା ଅଷ୍ଟମୀ ରୁ ଶାରଦୀୟ ପୂଜା

ମାଆଙ୍କ ଆରମ୍ଭ ହୁଏ

ମାଆଙ୍କ ଖର୍ପର ଖଣ୍ଡା ନିତି ଗ୍ରାମ

ପରିକ୍ରମା କରିଥାଏ ।

ମହା ଅଷ୍ଟମୀରେ ପୂଜା ହୁଏ ଶେଷ

ମାଆଙ୍କ ମହିମା ଗାଇ

ମାଆଙ୍କ ଜନମ ଦିନ ସେହି ଦିନ

ହୋମ ଯଜ୍ଞେ ଉଛୁଳଇ ।

ମାଆଙ୍କର ପୂଜା ଶୋଭାଯାତରାରେ

ପ୍ରବଳ ଗହଳି ହୁଏ

ମାଆଙ୍କର ପୂଜା ଆଳତି ଅର୍ପଣ

ଭକତଙ୍କ ମନ ମୋହେ ।

ରକ୍ଷା କାରିଣୀ ମା ଅଭୟ ଦାୟିନୀ

ଜୟ ମାଆ ଭଟ୍ଟାରିକା

କରୁଣା ମୟୀ ଗୋ ମହିମା ମୟୀଗୋ

ମାଆ ଗୋ ଚଣ୍ଡୀ ଚଣ୍ଡୀକା ।

ମହିମା ତୁମର ବଖାଣିଲି ମାଆ

ତୁମରି ନାମକୁ ସ୍ମରି

ଅଧମ ଦିଲ୍ଲୀପେ ଦୟା କରିବ ମା

ଦୋଷାଦୋଷ କ୍ଷମା କରି ।



Rate this content
Log in

Similar oriya poem from Classics