ନାମ ର ମହିମା ଅସୀମ
ନାମ ର ମହିମା ଅସୀମ
ନାମର ମହିମା ଅସୀମ ନାମ କଲେ ସ୍ମରଣ
ଧନ୍ୟ ହୋଇଥାଏ ଜୀବନ କାର୍ଯ୍ୟ ହୁଏ ପୂରଣ।
କେଉଁ ସମୟରେ କି ନାମେ ପ୍ରଭୁ ଙ୍କୁ ଯେ ସ୍ମରିବ
ମନଦେଇ କର ଶ୍ରବଣ ପୂଣ୍ୟ ଫଳ ମିଳିବ ।
ପ୍ରତିଦିନ ପ୍ରଭାତରୁ ଯେ ଯେବେ ଶେଯ ଛାଡ଼ିବ
ନମୋ ନମୋ ବାସୁଦେବ ହେ ମନେମନେ ଜପିବ।
ସୁମଙ୍ଗଳ ମୟ ହେଇବ ନିଶ୍ଚେ ସାରା ଦିନଟି
କୁଟିଳ କାଳର କୋପ ଯେ ସବୁ ଯିବି ରେ ହଟି ।
ଖାଇବା ଆଗରୁ ଜପିବ ପ୍ରଭୁ ଶ୍ରୀ ଜନାର୍ଦ୍ଦନ
ଅମୃତ ଠୁ ବଳି ସୁଆଦ ଲାଗିବ ରେ ଭୋଜନ।
ଯାତ୍ରା ସମୟରେ ମନରେ ତ୍ରିବିକ୍ରମ ଙ୍କୁ ଜପ
ଦାଉ ଧକ୍କା ଯିବ ଦୂରେଇ ଯାତ୍ରା ହେବ ସୁଗମ।
ଜୀବନ ଦଶାରେ ମଣିଷ କେତେ ରୋଗ ଭୋଗଇ
ଓଉଷଧ କଲେ ସେବନ ରୋଗ ଭଲ ହୁଅଇ।
ବିଷ୍ଣୁ ନାମ ଧ୍ଯାଇ ମନରେ ଅଉଷଧ ଖାଇଲେ
ରୋଗ ଯାତନା ରୁ ମୁକତି ଅତି ଶୀଘ୍ର ଯେ ମିଳେ।
ଜୀବନର ପ୍ରତି ପାଦରେ ଆମେ କରୁ ସଙ୍ଗ୍ରାମ
ଯୁଦ୍ଧରେ ବିଜୟ ଘୋଷିଲେ ଚକ୍ରଧରୀ ଙ୍କ ନାମ।
ନିଦ୍ରା ଗଲେ ଯଦି ଦେଖୁଛ ମନ୍ଦ ସପନ ନିତି
ଗୋବିନ୍ଦ ଙ୍କୁ ଜପ କରିଲେ ସ୍ବପ୍ନେ ନଥାଏ ଭିତି।
ଦୁଃଖ ଅବସାଦେ ମଣିଷ ଯଦି ଭାଙ୍ଗି ପଡଇ
ମଧୁସୂଦନ ଙ୍କୁ ଜପିଲେ ତହିଁ ଶାନ୍ତି ମିଳଇ।
ଗତି ପଥେ ବାଧା ଉପୁଜେ ଯଦି କେଉଁଠି କାହିଁ
ବାମନ ଙ୍କୁ ଜପ କରିଲେ ବାଧା ଯାଏ ଦୂରେଇ।
ସ୍ନେହ ଶରଧା ରେ ଯେଉଁଠି ଛନ୍ଦି ହୋଇବ ମନ
ସ୍ମରଣ କରିବ ଶ୍ରୀଧର ଆଶା ହୋଇବ ପୂର୍ଣ୍ଣ।
ବିବାହ ଉତ୍ସବ ସମୟେ ପ୍ରଜାପତି ଙ୍କ ନାମ
ଜପ କରୁଥିଲେ ମନରେ ଶୁଭ ହୁଅଇ କର୍ମ।
ଅଗନା ଅଗନି ବନରେ ମନ ପ୍ରବେଶ କାଳେ
ଭୟ ରହେ ନାହିଁ ନୃସିଂହ ନାମ ସ୍ମରଣ କଲେ ।
ପର୍ବତ ଚିଢିବା ସମୟେ ରଘୁନାଥ ସ୍ମରିବ
ସହଜେ ପର୍ବତ ଶିଖରେ ପହଞ୍ଚି ତ ପାରିବ।
ଅଗ୍ନି ଭୟ ଯଦି ଉପୁଜେ ଜଳଶାୟୀ ଙ୍କୁ ଜପ
ନିମିଷକେ ଦୂର ହୋଇବ ଅଗ୍ନି ଦେବଙ୍କ କୋପ।
ଜଳରେ ପ୍ରବେଶ ସମୟେ ବରାହ ଙ୍କୁ ଜପିବ
ଜଳ ମଧ୍ୟେ ଥିବା ବିପଦ ସବୁ ଦୂରେଇ ଯିବ।
ପଦ୍ମନାଭ ଙ୍କୁ ତ ଭକ୍ତିରେ ମନେ ମନେ ସ୍ମରଣ
କରିଣ ଶେଯରେ ନିଇତି କରିବରେ ଶୟନ।
ଶୁଖ ନିଦ୍ରା ହେବ ନିଶ୍ଚୟ ମନ ପାଇବ ଶାନ୍ତି
ନିଦ ନହୋଇଲେ ଭଲ ଟି ବଢ଼ିଥାଏ ଅଶାନ୍ତି।
ମରଣ ପାଖେଇ ଆସିଲେ ଜାଣି ପାରଇ ମନ
ମରଣ ପାଖେଇ ଆସିଲେ ଜପ ଶ୍ରୀ ନାରାୟଣ।
ପ୍ରତି କ୍ଷଣେ ମାଧବ ଙ୍କୁ ତ ଯିଏ ଜପ କରନ୍ତି
ପ୍ରଭୁ ଙ୍କ ଆଶିଷେ ସବୁଠି ସଫଳ ସେ ହୁଅନ୍ତି।
ନାନା ନାମ ଧରି ପ୍ରଭୁ ଯେ କରୁ ଅଛନ୍ତି ଲୀଳା
କାମ ଜାଣି ନାମ ଜପିଲେ ଉଣା ସଂସାର ଜ୍ଵଳା।
ନିର୍ମଳ ଚିତ୍ତରେ ଭଜନ କଲେ ପ୍ରଭୁ ଙ୍କ ନାମ
ପ୍ରଭୁ ଙ୍କ ପାଦରେ ନିଶ୍ଚୟ ମନ ପାଇବ ସ୍ଥାନ।।
