ଜୟ ମା ମଙ୍ଗଳା
ଜୟ ମା ମଙ୍ଗଳା
ଜୟ ତୁ ମଙ୍ଗଳା ମାଗୋ ସୃଜନ କାରିଣୀ
ସଂକଟ ମୋଚନୀ ମାଗୋ ଶିବ ସୁହାଗିନୀ ।
ଆତୁରେ ଡାକୁଛି ମାଗୋ ପଡ଼ି ବିପତ୍ତିରେ
ଆସ ମାଗୋ ଧରାଧାମେ ଭକତ ଭାଗ୍ୟରେ ।
ନାଶିବୁ ମହିଷାସୁର ନାଶିବୁ ଯେ ଦୁଷ୍ଟ
ତୁହି ସାହା ହେଲେ ମାଗୋ କଟି ଯିବ ରିଷ୍ଟ ।
ଅତ୍ୟନ୍ତ ଦୁଃଖିନୀ ମୁହିଁ ଆସିଛି ତୋ ଦ୍ଵାରେ
କାକଟପୁର ମଙ୍ଗଳା ରକ୍ଷା କର ବାରେ ।
କିଏ ହେବ ସରିସମ ଏ ମର୍ତ୍ତ୍ୟ ମଣ୍ଡଳେ
ତୋର ଛବି ନିତି ଭାସେ ମୋର ବେନି ଡୋଳେ ।
ତୁହି ବୃକ୍ଷ ମୁହିଁ ଶାଖୀ ଭାବିବୁ ଲୋ ମନେ
ତୁହି ମୋ ଚାନ୍ଦିନୀ ରାତି ଦୁଃଖର ଦୁର୍ଦ୍ଦିନେ ।
ଚାହେଁନା ଭୋଗ ବିଳାସ କିଅବା ଐଶ୍ଵର୍ଯ୍ୟ
ବିପତ୍ତି ବେଳରେ ମାଗୋ ମନେ ଦେବୁ ଧର୍ଯ୍ୟ ।
ଝଙ୍କଡେ ଶାରଳା ତୁହି କାକଟେ ମଙ୍ଗଳା
ପ୍ରଖର ସ୍ରୋତେ ଭାସିଲେ ଉଦ୍ଧାରୁ ଲୋ ଭେଳା ।
ତୋର ଗୁଣ ଲେଖିବାକୁ ନାହିଁ ମୋର ଶକ୍ତି
ତୋର ତିନି ନେତ୍ର ଆଗେ ମୋର କିବା ଜ୍ୟୋତି ।
ଅଗାଧ ସାଗର ତୋର କରୁଣା ଭଣ୍ଡାର
ଦୟା କର କୃପା ବିନ୍ଦୁ ମାଗେ ତୋ ପୟର ।
ପୂଜା ସରଞ୍ଜାମ ତୋର ଆଣିଛି ସରାଗେ
ମାନସିଛି ମାଟି ଘୋଡ଼ା ତୋର ପ୍ରୀତି ଭୋଗେ ।
ବାଜିଲାଣି ଆଶ୍ଵିନର ମହୁରୀ ମର୍ଦ୍ଦଳ
ଆସିଲେଣି ତୋର ପାଦେ ଭକ୍ତ ଦଳ ଦଳ ।
ଅଭୟ ଦାୟିନୀ ମାଗୋ ବର ପ୍ରଦାୟିନୀ
ସତ୍ୟ ପଥେ ରଖି ଥାଅ ପ୍ରଭାତୀ ଲେଖନୀ ।