ଜୟ ଜଗତ ଠାକୁର
ଜୟ ଜଗତ ଠାକୁର
ଜୟ ଜଗତ ଠାକୁର ନୀଳଗିରି ପତି l
ଶରଣ ରକ୍ଷଣ ନାଥ ଅଗତିର ଗତି ll
ପଞ୍ଚୁକୋଶ କ୍ଷେତ୍ରବର ପୂର୍ବ ସିନ୍ଧୁ ତୀରେ l
ଦାରୁବ୍ରହ୍ମ ମୂର୍ତ୍ତି ବିଜେ ଦିବ୍ୟ ମନ୍ଦିରରେ ll
ଗତି ମୁକ୍ତି ଲଭେ ପ୍ରାଣୀ ଯା ଦର୍ଶନ କରି l
ଶରଣ ରକ୍ଷ ବସିଛି ବାହୁକୁ ବିସ୍ତାରି ll
ନୀଳାମ୍ବର କଟି ଦେଶେ ରେବତୀର ପତି l
କୋଟି ସିଂହ ପରାକ୍ରମ ଧବଳ ମୂରତି ll
କାଦମ୍ବରୀ ପାନରେ ରକ୍ତିମ ମତ୍ତ ଡୋଳା l
ଯୋଗେଶ୍ୱର ନାଥ ପ୍ରଭୁ ଭକ୍ତ ଭାବ ଭୋଳା ll
ଦୁଇ ଭାଉ ମଧ୍ୟେ ବିଜେ ସୁଭଦ୍ରା ଭଉଣୀ l
ହଳଦିଆ ମୁଖି ଆଦ୍ୟାଶକ୍ତି ଠାକୁରାଣୀ ll
ବାମ ପାରୁଶେ ଶୋଭନ୍ତି ଚକ୍ର ସୁଦର୍ଶନ l
ପ୍ରଭୁଙ୍କ ଆୟୁଧ କାଳ ନକ୍ର ବିନାଶନ ll
ନୀଳଚକ୍ରେ ନେତ ଉଡ଼େ ପତିତପାବନ l
ଦର୍ଶନେ ଭକ୍ତ କରଇ ଆନନ୍ଦେ ନର୍ତ୍ତନ ll
ସତ୍ୟରେ ବାମନ ପ୍ରଭୁ ରାମ ତ୍ରେତୟାରେ l
ଦ୍ଵାପରେ କଂସ ବଧିଲେ କୃଷ୍ଣ ଗୋପପୁରେ ll
କଳିଯୁଗେ ଜଗନ୍ନାଥ ନୀଳାଚଳେ ଲୀଳା l
ରତ୍ନବେଦୀ ତଳେ ଲକ୍ଷେ ଶାଳଗ୍ରାମ ଶିଳା ll
ନମସ୍ତେ ନମସ୍ତେ ଆହେ ଚତୁର୍ଦ୍ଧା ମୂରତି l
ରୂପ ତୁମ୍ଭ ସଦା କରୁ ମୋ ନେତ୍ର ବସତି ll
