ଜୟ ଜଗନ୍ନାଥ ନୀଳଗିରି ନାଥ
ଜୟ ଜଗନ୍ନାଥ ନୀଳଗିରି ନାଥ
ଜୟଜୟ ଜଗନ୍ନାଥ ଜୟ ନୀଳଗିରି ନାଥ
ପତିତ ପାବନ ପ୍ରଭୁ ଭକତ ବନ୍ଧୁ
କାଳିଆ କଳା ସାଆନ୍ତ ନାଥ ଅନାଥ ର ନାଥ
ଦୟାମୟ ଦଇତାରୀ ହେ ଦୀନବନ୍ଧୁ
ବନ୍ଧୁ ତୁମେ ଜଗତ ବନ୍ଧୁ
କରୁଣାମୟ ହେ ପ୍ରଭୁ କରୁଣାସିନ୍ଧୁ....
ନୀଳଶଇଳ ଚୁଳରେ ନୀଳମାଧବ ରୂପରେ
ବିଶ୍ଵାବସୁ ପୂଜୁଥିଲେ ତୁମକୁ ତହିଁ
ଇନ୍ଦ୍ରଦ୍ୟୁମ୍ନ ଙ୍କୁ ସ୍ବପ୍ନରେ ଦର୍ଶନ ଦେଇ ଠାକୁରେ
କାଳ ଗର୍ଭେ କାହିଁ ତୁମେ ଗଲ ଉଭେଇ
ଶୂନ୍ୟ ବାଣୀ ରାଜନ ପାଇ
ଦାରୁ ସନ୍ଧାନ କରିଲେ ସମୁଦ୍ରେ ଯାଇ...
ଇନ୍ଦ୍ରଦ୍ୟୁମ୍ନ କଲେ ଧ୍ଯାନ ଦାରୁରୂପେ ଦରଶନ
ଉତ୍ତାଳ ତରଙ୍ଗେ ଭାସି ଉଭା ହୋଇଲ
ଶୂନ୍ୟ ଶୂନ୍ୟ ମହାଶୂନ୍ଯ ହେ ଅନନ୍ତ ସୀମା ହୀନ
ଶୂନ୍ୟ ରୁ ପ୍ରକଟ ହୋଇ ଲୀଳା ରଚିଲ
ନିଜ ରୂପ ନିଜେ ଗଢିଲ
ଅଧାଗଢ଼ା ରୂପହୋଇ ଦର୍ଶନ ଦେଲ ।
ଅପୂର୍ବ ଚତୁର୍ଦ୍ଧା ମୂର୍ତ୍ତୀ କିସୁନ୍ଦର ରୂପକାନ୍ତି
ରୂପରୁ ଝଟକୁଥାଏ ଉଜ୍ବଳ ଜ୍ୟୋତି
ମୁକୁତା ମାଣିକ ମୋତି ହୀରାନୀଳା ଝଲସନ୍ତି
ଆଖିରେ ମିଶିଲେ ଆଖି ମିଳଇ ଶାନ୍ତି
ଦାରୁବ୍ରହ୍ମ ବ୍ରହ୍ମ ମୟଟି
ଦେବତା ବି ଦେଖିବାକୁ ଆସନ୍ତି ନିତି ...
ବସିଛ ବଡ ଦେଉଳେ ଭାଇ ଭଉଣୀ ଙ୍କ ମେଳେ
ନିତି କରୁଅଛ କେତେ ଭାବର ଲୀଳା
ତୁମରି ଚରଣ ତଳେ ଭକତ ଭକତି ଢାଳେ
ଉଣା କରିବାକୁ ତାର ସଂସାର ଜ୍ବଳା
ଚକାଆଖି ଚିକ୍କଣ କଳା
ତୁମେ ଗତି ତୁମେ ମୁକ୍ତି ହେ ଚକାଡୋଳା ...
ତୁମେ ଭାବବିନୋଦିଆ ତୁମେ ଭାବର ଦୁନିଆ
ଭବ ସାଗରରେ ତୁମେ ଭାବର ତରୀ
ବେଳ ଅବେଳରେ ସାହା ବତାଇ ଦିଅହେ ରାହା
ଭାବରେ ଭଜିଲେ କର ଭବରୁ ପାରି
ଦୁଃଖୀ ବନ୍ଧୁ ହେ ଦୁଃଖ ହାରି
ତୁମରି ଦୟାରେ ଯାଏ ସଂସାର ପୁରି....
ଅସୀମ ତୁମ ମହିମା ଅପୁର୍ବ ରୂପ ସୁଷମା
ଦରଶନ ପାଇଁ ହୁଏ ପ୍ରାଣ ଉଛ୍ଛନ
ତୁମେ ଦୟା ତୁମେ କ୍ଷମା ତୁମେତ ତୁମ ଉପମା
ଦରଶନ କଲେ ହୁଏ ଜୀବନ ଧନ୍ୟ
ମିଳେ ପରା ଅସରା ପୂଣ୍ୟ
ତୁମେ ଜ୍ଞାନ ତୁମେ ଧ୍ଯାନ ତୁମେ ଅନନ୍ୟ....
ତୁମ ମାନବୀୟ ଲୀଳା ସିନେହ ଶରଧା ବୋଳା
ଭାବ ଭକତିରେ ପ୍ରଭୁ ହୋଇଛ ବନ୍ଧା
ଭକ୍ତ ତୁମ ଗଳାମାଳା ଭକ୍ତ ପ୍ରେମେ ହୁଅ ଭୋଳା
ସହିପାରନାହିଁ ତୁମେ ଭକତ ନିନ୍ଦା।
ଆହେ ପ୍ରଭୁ କଳା ଗୋସାଇଁ
ଭକ୍ତ ଦେଲେ ଗାଳି ତୁମେ ନିଅ କୋଳେଇ...
ଭକ୍ତ ମନ କଥା ବୁଝି ରତ୍ନ ସିଂହାସନ ତେଜି
ସ୍ବବିଗ୍ରେହେ କର ତୁମେ ରଥେ ଗମନ
ରଥରେ କଳା ବାମନ କଲେ ଥରେ ଦରଶନ
ହୁଏନାହିଁ ପୁନର୍ଜନ୍ମ ଶାସ୍ତ୍ରେ ବର୍ଣ୍ଣନ
ପାପତାପ ହୁଏ ଖଣ୍ଡନ
ଜନ୍ମଜ୍ମାନ୍ତର ପାଇଁ ପୂଣ୍ୟ ଅର୍ଜ୍ଜନ.....
ତୁମପରି କିଏ ହେବ ନାହିଁ ତୁମ ଭେଦ ଭାବ
ସବୁ ଜାତି ଧର୍ମ ତୁମ ପାଖେ ସମାନ
ବୈଷ୍ଣବ ଅବା ସେ ଶୈବ ବୌଦ୍ଧ ଜୈନେ ସମ ଭାବ
ଗାଣପତ୍ୟଙ୍କର ତୁମେ ଗଜ ଆନନ
କେତେ ସାଧୁ ମହାତ୍ମା ଜନ
ତୁମ ଜୟଗାନ କରି ହୋଇଲେ ଧନ୍ୟ...
ଶ୍ରୀଛାମୁରେ ଏହି ଅଳି ଫୁଲପ୍ରିୟ ବନମାଳି
ଅମୃତ ଦୃଷ୍ଟିରେ ପ୍ରଭୁ ଥିବ ହେ ଚାହିଁ
ଆଶିଷ ଦେଲେଟି ଢାଳି ସବୁ ଦୁଃଖ ଯିବ ଟଳି
ଅମା ଅନ୍ଧକାର ରାତି ଯିବ ହେ ପାହି
ତୁମ ବିନା ନାହିଁ ମୋ କେହି
ଏତେ ଆପଣାର ପ୍ରଭୁ ଜଗତେ କାହିଁ...
