ଜନନୀ
ଜନନୀ
ସ୍ନେହ ଶ୍ରଦ୍ଧା ଭରା ଅନନ୍ୟ ପସରା
ଧରି ଉଭା ହୋଇ ଯିଏ
ଆଦର ଆଦର୍ଶ ବାତ୍ସଲ୍ୟ ପରଶ
ପ୍ରକାଶନ୍ତି ନାନା ଭାବେ ।
ସେହି ହିଁ ଜନନୀ ଗରଭ ଧାରିଣୀ
ଛୋଟରୁ ବଡ କରାଇ
ପବିତ୍ର ଉତ୍ସାହ ଉତ୍ତମ ବିଚାର
ଥାଆନ୍ତି ଜନେ ଶିଖାଇ ।
ଜୀବନ ଉତ୍ସର୍ଗ କରି ସେ ଥାଆନ୍ତି
ସଦା ସନ୍ତାନ ସୁହିତେ
ଯାହା କୋଳେ ଖେଳି ଆନନ୍ଦେ ଉଚ୍ଛୁଳି
ଶିଶୁ କାଳ ଆମ୍ଭ ବିତେ ।
ପୃଥିବୀର ସମ ସହନ ଶକତି
ଅସୀମ କରୁଣାବତୀ
ଦୁଃଖ ଶୋକ ତାପ ପ୍ରବାହ ଅମାପ
ଦୂରାନ୍ତି ସେ ଭୟ ଭୀତି ।
ସେହି ହିଁ ଜନନୀ ସ୍ନେହ ମନ୍ଦାକିନୀ
ପ୍ଲାବିତ କରାନ୍ତି ନିତି
ଆଶୈଶବୁ ଚିର ଆନନ୍ଦେ ମଧୁରେ
ତାଙ୍କ କୋଳେ ଯାଏ ବିତି ।
ଯେତେ ସବୁ ରାଗ ରୋଷ ଅନୁରାଗ
ଅଭିମାନ ଅରଦଳି
ଆଦରେ ସେହି ହିଁ ଥାଆନ୍ତି ଘୁଞ୍ଚାଇ
ମୁଖରେ ଆନନ୍ଦ ଭରି ।
ମାଆ ସ୍ୱରରେ ହିଁ ନିହିତ ରହିଛି
ମଧୁର ଭାବ ମାଧୁରୀ
ଶିଶୁର ଦରୋଟି ଓଠରୁ ପ୍ରଥମେ
ଆସି ଥାଏ ଯାହା ଝରି ॥
ସହି ସବୁ କଷ୍ଟ ଶିଶୁର ସତତ
ସାଧୁ ଥାଏ ଯିଏ ହିତ
ଯା'ର ସେବା ଯତ୍ନେ ଶୈଶବ ଜୀବନେ
ଶିଶୁ ହୁଅଇ ପ୍ରସ୍ତୁତ ॥
ଅତି ଅସହାୟ କାଳେ ଯେ ସହାୟ
ହୋଇ ଆପଣା ପିଲାକୁ
ମଣିଷ ପରିକା ମଣିଷ କରିବା
ପାଇଁ ସତତ ଶିଶୁକୁ ॥
ପାଳି ପୋଷି ନିତି ଆନନ୍ଦ ଜାଗୃତି
ଯୋଗାନ୍ତି ଶିଶୁ ହୃଦୟେ
ଜନନୀ ତ ସେହି ମାଆ ବୋଲି କହି
ଶିଶୁ ତାହାଙ୍କୁ ଚିହ୍ନାଏ ॥
ଶିଶୁର ପ୍ରଥମ ଶିକ୍ଷକ ହିଁ ମାଆ
ଖାଇବା ପିନ୍ଧିବା କାମ
ସହିତ ସେହିତ ଶିଖାନ୍ତି ଅଶେଷ
ବହୁ ବିଧ ଗୁଣ ଗ୍ରାମ ॥