STORYMIRROR

Ghanashyam Jena

Inspirational

4  

Ghanashyam Jena

Inspirational

ଜନ୍ମାଷ୍ଟମୀ

ଜନ୍ମାଷ୍ଟମୀ

1 min
420


ଭାଦ୍ରପଦ କୃଷ୍ଣ ଅଷ୍ଟମୀ, ତିଥି ଅତି ମହାନ,

ମହାଯୋଗେଶ୍ୱର୍ କୃଷ୍ଣଙ୍କ ପୁଣ୍ୟ ଜନମ ଦିନ।


ଦେବକୀ ମାତାଙ୍କ ଉଦରେ,କଂସ ବନ୍ଦୀଶାଳାରେ

ଧରାବତରଣ କରିଲେ, ମାହେନ୍ଦର ବେଳାରେ।


ପିତା ବାସୁଦେବ ଦେବକୀ ମାତା ଯାତନା କାଳେ

ଅଷ୍ଟମ ଗର୍ଭରେ ଅଷ୍ଟମୀ ଦିନ ଅଇଲେ କୋଳେ।


ଶୋକେ ବାସୁଦେବ ଦେବକୀ,ଭୟେ କରି କ୍ରନ୍ଦନ

ଆତୁରେ କରିଲେ ବିନତି, ରଖ ହେ ନାରାୟଣ।


ସାତ ପୁତ୍ର ଆମ ନାଶିଲା,ଦର୍ପଣ ଶିଳାପର 

ଘୋର ସଂକଟରୁ ଉଦ୍ଧାର,ପ୍ରଭୁ ହେ ଚକ୍ରଧର।


ଶୂନ୍ୟରୁ ଶୁଭିଲା ଶବଦ, ଶୁଣ ପିଅର ମାତ

ଏହି କ୍ଷଣି ପୁତ୍ର ରୂପରେ, ମୁହିଁ ହେବି ସମ୍ଭୂତ।


ଦୁଷ୍ଟ କଂସାସୁର ନାଶିବି ମନେ ନକର ଚିନ୍ତା ,

ସକଳ ଖଳ ଗଣ ନାଶି, କଷ୍ଟ ହରିବି ପିତା ।


ଜନମପରେ ମୋତେନେଇ,ଯିବଗୋପ ନଗର 

ଅତି ଯତନରେ ରଖିବ,ମାତା ଯୋଶୋଦା କୋଳ। 


ଯୋଗମାୟା ଜନମି ଥିବେ, ନନ୍ଦ ଯଶୋଦା ଘରେ

ଆଣିବ ତାହାଙ୍କୁ ବହନ ମନ ଆନନ୍ଦଭରେ।


ଭାଦ୍ରବ କୃଷ୍ଣ ଅଷ୍ଟମୀର ଅର୍ଦ୍ଧ ନିଶା କାଳରେ

ସକଳ ଶୁଭ ଗ୍ରହଗଣ,ଥିଲେ ଅତି ଉଚ୍ଚରେ।


ରୋହିଣୀ ନକ୍ଷତ୍ର ସଙ୍ଗତେ, ବୃଷ ରାଶି ଉତ୍ତମ,

ମାମୁ ବନ୍ଦିଶାଳେ ଦେବକୀ ଗର୍ଭୁ ହେଲେ ଜନମ।


କଟିତଟେ ପୀତ ଦୁକୁଳ, ନୀଳ ଜୀମୂତ କାନ୍ତି,

କୋଟୀକାମ ଜିଣି ଶରୀର,ବିରାଜେ ଦିବ୍ୟ ଜ୍ୟୋତି।


ରୁଣୁ ଝୁଣୁ ବାଜେ ନୂପୁର, ପଦେ ରତ୍ନକଠଉ

କିରୀଟ,କୁଣ୍ଡଳ,କଙ୍କଣ ଝଳସେ ଦାଉ ଦାଉ।


ଶୁଦ୍ଧ ସୁବର୍ଣ୍ଣର ପଇତା,ଅଙ୍ଗେ ଶୋହେ ଉତ୍ତରୀ 

ବକ୍ଷସ୍ଥଳେ ଶ୍ରୀବଚ୍ଛପଦ, ଗଳାରେ ରତ୍ନ ମାଳି।


ଗୋପରେ ପ୍ରବେଶି ଗୋବିନ୍ଦ ବିଜେକଲେ ଆନନ୍ଦେ,

 ମନ୍ଦ ମନ୍ଦ ବହେ ମଳୟ, ମକରନ୍ଦ ସୁଗନ୍ଧେ।


ନନ୍ଦର ମନ୍ଦିରେ ଆନନ୍ଦ,ଗୋପାପୁର ଆନନ୍ଦ

ବିଜୁଳି ଭଳି ଖେଳିଗଲା,ଆନନ୍ଦେ ଗୋପୀବୃନ୍ଦ ।


ଅତି ଆନନ୍ଦରେ ଖେଳନ୍ତି ନନ୍ଦ କୋଳେ ଗୋବିନ୍ଦ,

ଖସି ପଡ଼ିଲାକି ଆକାଶୁ , ସତେ ପୂର୍ଣ୍ଣିମା ଚାନ୍ଦ।


ବାଜେ ଭେରୀ,ତୂରୀ,ମହୁରୀ,ଶୁଭେ ମୃଦଙ୍ଗ ତାନ

ଅତି ଆନନ୍ଦରେ ନାଚନ୍ତି,ଗୋପୀ ଗୋପାଳ ଗଣ।



Rate this content
Log in

Similar oriya poem from Inspirational