ଜଳ ହିଁ ଜୀବନ
ଜଳ ହିଁ ଜୀବନ
ଜଳ ହିଁ ଜୀବନ ପୁଣି ଜଳ ଅଟେ ପ୍ରାଣ
ଜଳର ରହିଛି ଜାଣ ଅଗଣିତ ଗୁଣ ।
ନାହିଁ ତା'ର ଆଦ୍ୟ ବିନ୍ଦୁ ନାହିଁ ତା'ର ଅନ୍ତ
ଜଳ ବିନା ମର୍ତ୍ତେ କେହି ଅଛି ବଳବନ୍ତ ।
ଶୁଖିଲା ଦିଶଇ ବୃକ୍ଷ ଯଦି ନାହିଁ ଜଳ
ଏହାକୁ ପାଇବା ପାଇଁ ଖୋଳୁ ମାଟି ତଳ ।
ବଣ,ଜଙ୍ଗଲ ଅଟଇ ଜଳର ହିଁ ଦାନ
ଜଙ୍ଗଲ ନଥିଲେ ପୃଷ୍ଠେ ନାହିଁ ଅମ୍ଳଜାନ ।
ଜଳବିନା ଶସ୍ଯକ୍ଷେତ୍ର ହୁଅଇ ପଡ଼ିଆ
ବଞ୍ଚିକି ପାରିବ ମତ୍ସ୍ୟ ନଥିଲେ ଗଡ଼ିଆ ।
ଶୌଚ ସ୍ନାନେ ଜଳ ଆମେ କରୁ ବ୍ୟବହାର
ଜଳ ବିନା ଉଜୁଡ଼ିବ ବୃତ୍ତି ଧୀବରର I
ଖାଦ୍ୟ ରନ୍ଧା ହୁଏ ବସ୍ତ୍ର ସଫା କରୁ ଜଳେ
କିଏ ବା ରୋକିବ ତାକୁ ନିଜ ବାହୁ ବଳେ ।
ଜଳ ଯୋଗୁଁ ଆମ ଦେହେ ରକତ ତରଳ
ପାରିବ କି ବଞ୍ଚି କେହି ନ ପିଇକି ଜଳ ।
ଗରମ ହୁଅଇ କଳ ନପଡ଼ିଲେ ଜଳ
ଜଳ ବୁନ୍ଦେ ପଡ଼ିଗଲେ ହୁଅଇ ଶୀତଳ ।
ଚାରୁ ଦିଶେ ଧରା ଜଳ ହେଲେ ପ୍ରବାହିତ
କୁଳୁକୁଳୁ ଗାଇ ଚାଲେ ଶାନ୍ତିର ସଙ୍ଗୀତ ।
କର ନାହିଁ ମଳତ୍ୟାଗ ରାସ୍ତାଘାଟେ ନିତ୍ୟ
ବ୍ୟାଧିରେ ପଡ଼ିବ ଜଳ ହୋଇଲେ ଦୂଷିତ ।
ଜଳ ବିନା ପଥିକର ଶୁଖିଯାଏ ତଣ୍ଟି
ଜଳ ଟୋପେ ପାନ କଲେ ତୃଷ୍ଣା ଯାଏ ମେଣ୍ଟି ।
ଜଳରେ ଆରମ୍ଭ ସୃଷ୍ଟି ଜଳରେ ହିଁ ଶେଷ
ଜଳ ବହୁଳେ ବିହୁନେ ଏହି ସୃଷ୍ଟି ନାଶ ।
ଜଳର ସୁରକ୍ଷା ଅଟେ ଜୀବନ ହିଁ ରକ୍ଷା
କର ସଦ୍ ବ୍ୟବହାର ମାଗୁଛି ମୁଁ ଭିକ୍ଷା ।
