ଜିଲ୍ଲା ପରିକ୍ରମା: ଗଜପତି
ଜିଲ୍ଲା ପରିକ୍ରମା: ଗଜପତି
ଉଣେଇଶ ବୟାନବେ ଅକ୍ଟୋବର
ଗଞ୍ଜାମ ଦ୍ୱିଭାଗ ହେଲା
ଆନ୍ଧ୍ର ରାୟଗଡା ସୀମାନ୍ତକୁ ନେଇ
ଗଜପତି ଜନ୍ମ ନେଲା।୧
ପାରଳାର ମହାରାଜା କୃଷ୍ଣଚନ୍ଦ୍ର
ଗଜପତି ନାରାୟଣ
ନାମରେ ତାଙ୍କର ହୋଇଲା ନାମିତ
ବିନା ଉପଖଣ୍ଡ ଜାଣ।୨
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ
ମହାରଥୀ କୃଷ୍ଣଚନ୍ଦ୍ର
ଗଜପତି ପ୍ରଥମ ପ୍ରଧାନମନ୍ତ୍ରୀ
ହୋଇଥିଲେ ଓଡିଶାର।୩
ବ୍ରହ୍ମପୁର ଠାରେ ଡାକ୍ତରୀ କଲେଜ
ଗଜପତିଙ୍କ ନାମରେ
ଏମକେସିଜି ବୋଲି ପ୍ରଶସ୍ତି ତାହାର
ତତ୍ପର ରୋଗୀ ସେବାରେ।୪
ପାରଳାଖେମୁଣ୍ଡି ତୈଲଙ୍ଗ ସୀମାରେ
ତେଲୁଗୁ ଭାଷୀ ପ୍ରାଧାନ୍ୟ
ଆଦିବାସୀ ପୁଣି ଆର୍ଯ୍ୟ ସଭ୍ୟତାର
ଗଜପତିରେ ମିଶ୍ରଣ।୫
ଶ୍ରୀକାକୁଲମ୍ ଜିଲ୍ଲା ପଲାସା ଅଞ୍ଚଳ
ଗଜପତି ସନ୍ନିକଟ
ଓଡିଶା ଅପେକ୍ଷା ଆନ୍ଧ୍ର ମୁହାଁ ତେଣୁ
ଜନତାର ଥାଟବାଟ।୬
ପାରଳାଖେମୁଣ୍ଡି ମହନା ଅଡବା
ଜି-ଉଦୟଗିରି ମିଶି
ସବୁଜ ସୁନ୍ଦର ଗଜପତି ଜିଲ୍ଲା
ଧାନ ମାଣ୍ଡିଆ ଅଳସୀ।୭
ପାହାଚ ପାହାଚ ପାହାଡ ଜଙ୍ଗଲ
ଥାକ ଥାକ ଘରଦ୍ୱାର
ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଟିଏ
ଗଜପତି ନାମ ତା'ର।୮
ପାହାଡୀ ଝରଣା କୁଳୁକୁଳୁ ବହେ
ଜଳ ପ୍ରପାତ ଗର୍ଜନ
ମାଙ୍କଡଡିଆଁ ଗଣ୍ଡାହାତୀ ଆଦି
ତହିଁ ମଧ୍ୟରେ ପ୍ରଧାନ।୯
ପୌରାଣିକ ଐତିହାସିକ ପୂର୍ବଘାଟେ
ଗିରି ମାଳା ବିରାଜିତ
ମହେନ୍ଦ୍ରଗିରି ଭାବେ ଆନ୍ଧ୍ର ପ୍ରଦେଶ
ସୀମାରେ ତା'
ପରିଚିତ।୧୦
ପବିତ୍ର ଝରଣା ତପ୍ତପାଣି ନାମେ
ଅଛି ଉଷ୍ଣ ପ୍ରସ୍ରବଣ
ମାଟିରୁ ଗନ୍ଧକ ଯୁକ୍ତ ଉଷ୍ମ ଜଳ
କରେ ରୋଗ ନିବାରଣ।୧୧
ମହେନ୍ଦ୍ର ଗିରିରୁ ମହେନ୍ଦ୍ର ତନୟା
ବଙ୍ଗୋପସାଗର ଗାମୀ
ବଂଶଧାରା ନଦୀ ଗଞ୍ଜାମ ପ୍ରବେଶି
ଜିଲ୍ଲା କରେ ପୂର୍ଣ୍ଣକାମୀ।୧୨
ପୁରାଣ ପ୍ରସିଦ୍ଧ ମହେନ୍ଦ୍ର ପର୍ବତ
ସୂର୍ଯ୍ୟ ଗତି ରୋଧ କଲା
ଗୁରୁ ଆଜ୍ଞା ମାନି ମୁଣ୍ଡ ନଇଁଦେଲା
ଆଉ ଉଠି ନ ପାରିଲା।୧୩
ଗଜପତି ରାଜା ଶୈଳନିବାସଟି
ମହେନ୍ଦ୍ର ତନୟା କୂଳେ
ସୁଡଙ୍ଗ ପଥରେ ସଂଯୋଗ ହୋଇଛି
ରାଜଧାନୀ ସହ ତଳେ।୧୪
ତାମ୍ର ଶିଳାଲିପି ଗବେଷକ ସତ୍ୟ
ନାରାୟଣ ରାଜଗୁରୁ
ଗଜପତି ଜିଲ୍ଲାର ଗର୍ବ ଗୌରବ
ବିଂଶ ଶଦୀ ପ୍ରାରମ୍ଭରୁ।୧୫
ସାହିତ୍ୟ ଅକାଦମୀର ପୁରସ୍କାର
ଲଭି ପଦ୍ମଶ୍ରୀ ଉପାଧି
ସତ୍ୟ ନାରାୟଣ ରାଜଗୁରୁ ଖ୍ୟାତ
ସାରଳା ସମ୍ମାନ ବିଧି।୧୬
ବେତ ବାଉଁଶର ଆସବାବ ପତ୍ର
ଖଲିପତ୍ର ଝାଡୁ କାମ
ପଟ୍ଟଚିତ୍ର ମୁଖା ଶିଙ୍ଗ କାମ ତହିଁ
କୁଟୀରଶିଳ୍ପ ର ନାମ।୧୭
ଚନ୍ଦ୍ରଗିରିର ଜିରାଙ୍ଗ ତିବ୍ବତୀୟ
ଶରଣାର୍ଥୀଙ୍କ ଆବାସ
ଗଜପତି ଜିଲ୍ଲା ଦେଶରେ ବିଖ୍ୟାତ
ପଷମ ପୋଷାକ ଆଶ।୧୮
ଏମକେସିଜି କଲେଜ ସେଞ୍ଚୁରିଆନ
ବିଶ୍ୱବିଦ୍ୟାଳୟ ପରି
ଛୋଟ ବଡ ଶିକ୍ଷା ଅନୁଷ୍ଠାନ ଗଢେ
ଦେଶ ଭବିଷ୍ୟତ ଶିରୀ।୧୯
ସବୁଜ ସୁନ୍ଦର ଗଜପତି ଜିଲ୍ଲା
ଐତିହ୍ୟ ସଂସ୍କୃତି ଭରା
ସ୍ୱୟଂ ଗଜପତି ରାଜୁତି ଯେଉଁଠି
ସରି ହେବ କିଏ ପରା !!୨୦