STORYMIRROR

BISWESWAR MAJHI

Abstract

3  

BISWESWAR MAJHI

Abstract

ଜିଲ୍ଲା: କଟକ

ଜିଲ୍ଲା: କଟକ

2 mins
36


କଟକ ନଗର ଧବଳ ଟଗର ଓଡିଶାର ପ୍ରାଣ କେନ୍ଦ୍ର

ହଜାର ବର୍ଷର ସଂସ୍କୃତି ଯାହାର ଜନସଂଖ୍ୟା ଅତି ସାନ୍ଧ୍ର।

ଅବିଭକ୍ତ ଜିଲ୍ଲା କଟକ କେନ୍ଦ୍ରାପଡା ଯାଜପୁର ଜଗତସିଂପୁର

କଟକ ସଦର ବାଙ୍କୀ ଆଠଗଡ ତିନି ଉପଖଣ୍ଡ ସାର।


ଏଣୁ ପଢ ଯାହା ତେଣୁ ପଢ ତାହା କଟକର ବିଶେଷତ୍ୱ

ପାଠ ପଢା ବହି କଟକି ଭାଷାରେ ଜିଲ୍ଲାର ତାହା ଶ୍ରେଷ୍ଠତ୍ୱ।

ଓଡିଶାର ପୁରାତନ ରାଜଧାନୀ ବଣିଜ ଶିକ୍ଷା ସଂସ୍କୃତି 

ମର୍କତ କେଶରୀ ଗାରିମାର ସାକ୍ଷୀ ଭଗ୍ନ ଦୁର୍ଗ ବାରବାଟୀ।

 

ଓଡିଶାର ବଡନଦୀ ମହାନଦୀ ମଧ୍ୟେ ତା'ର ପ୍ରବାହିତ

ନୌବାଣିଜ୍ୟ ସ୍ମୃତି ଉଜ୍ଜୀବିତ କରେ କଟକର ବାଲିଯାତ।

କଟକ ଚଣ୍ଡୀ ମା ଗଡଚଣ୍ଡୀ ପୁଣି ବାଙ୍କୀରେ ଚର୍ଚ୍ଚିକା ମାତ

ନଦୀ ପଠାରେ ଧବଳେଶ୍ବର ବାବା ପଦ୍ମବନେ ଯୋଗୀ ଅଚ୍ୟୁତ।


ଓଡିଶାର ଜଣେ ଗଣା ହେବ ଯିଏ ରେଭେନ୍ସାରେ ପଢିଥିବ

ମଧୁସୂଦନ ଆଇନ କଲେଜରେ ପଢି ବାରିଷ୍ଟର ହେବ।

ବଡ ମେଡିକାଲ କଲେଜ ବଡ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ନାମେ

ଧାନ ଗବେଷଣା କେନ୍ଦ୍ର ଅନୁଷ୍ଠାନ ସହର ବାହାରେ ଜମେ।

        

ଓଡିଆ ବଜାର ସ୍ମୃତି ସଜାଡିଛି ନେତାଜୀ ଜନ୍ମ ଜାତକ

ଆନନ୍ଦ ଭବନେ କଳିଙ୍ଗର ବୀର ଜାତ ବିଜୁ ପଟ୍ଟନାୟକ।

ଗୋପ ଚୌଧୁରୀ ନବକୃଷ୍ନ ଚୌଧୁରୀ ଐତିହ୍ୟ କଟକ ନିଧି

ମାତା ରମାଦେବୀ ଜନମିଲେ ଯହିଁ ସ୍ୱରାଜ ଆନ୍ଦୋଳନ ସିଦ୍ଧି।


ରୂପା ତାରକସି କାମ କଟକର ସବିଶେଷ ପରିଚୟ

ଚାନ୍ଦିମେଢ ଭିଡ ଦୁର୍ଗା ପୂଜା କାଳେ କଟକର ଜୟ ଜୟ।

ଭାଷାକୋଷ ପ୍ରଣେତା ଗୋପାଳ ପ୍ରହରାଜ ଜ୍ଞାନ ମଣ୍ଡଳ ପ୍ରଣେତା

ବିନୋଦ କାନୁନଗୋ ଶ୍ରୀବୃଦ୍ଧି କରନ୍ତି ଭାଷାର ସୁରକ୍ଷା ଦାତା।


ଦ୍ୱିତୀ ଗୋପବନ୍ଧୁ ରାଧାନାଥ ରଥ ସମାଜ ଶତ ବାର୍ଷିକ

ମାଣିଆବନ୍ଧର ଶାଢୀ କେଡେ ଦମ୍ଭ ଅଂଶୁପା ହ୍ରଦର ଟେକ।

ବାଉନ ବଜାର ତେପନ ଗଳିରେ ରିକ୍ସା ବାଲା ଭିଡ ଭାରି

କଟକ ପ୍ରସିଦ୍ଧ ଦହିବରା ଚାଟ୍ ଗୁପଚୁପ୍ ଠୁଙ୍କା ପୁରି।


ବିକଳ କରଙ୍କ ରସଗୋଲା ବରା ପାର୍କ କାଳିଆ ଚାର୍ଟ

କାଠଯୋଡି କୁଳ ସୁମିଷ୍ଟ ପବନ ଯୋବରା ଆନିକଟ ଥାଟ।

କଟକରେ ଅଛି ହାଇକୋର୍ଟ ନାଲି କୋଠା ବୋଲି ଯା'ର ଖ୍ୟାତି

ସର୍ଦାର ପଟେଲ ଶିଶୁ ଭବନରେ ଛାଡିଯାଏ ରୋଗ ଭୀତି।

 

ମାନସିଂହ ଲେଖିଲେ ମହାନଦୀରେ ଜ୍ୟୋତ୍ସ୍ନା ବିହାର ସନ୍ଧ୍ୟାର

ବାରବାଟୀ ଦୁର୍ଗ ଗଉରବ ଗାଥା ମନେ ପଡିଲା ତାଙ୍କର।

ଉତ୍କଳ ଟାନେରୀ କଳିଙ୍ଗ ଟ୍ୟୁବସ୍ ଓଟିଏମ୍ ଚୌଦୁଆର

ବାରଙ୍ଗର କାଚ କାରଖାନା ସବୁ ଗାଥା ଗାଏ କଟକର।


ଯାଆ ଯାଆରେ ତୁ ଭାସି ଭାସି ଯାଆ ଆଲୋ ହୁଣ୍ଡୀ ଗୀତ ଗାଇ

ସଂଗୀତ ଜଗତ ମାନ ଉଚ୍ଚ କଲେ ଆର୍ଯ୍ୟ ଦାସ ଖୋକା ଭାଇ।

କଟକି ଷଣ୍ଢଙ୍କ ଦୌରାତ୍ମ୍ୟ କଟକି ମଶା ଛଟକ 

କଟକର ନେତା କଟକି ଜନତା ରଖିଛନ୍ତି ତାଙ୍କ ଟେକ।


କଟକର ଚିନ୍ତା ବାଇମୁଣ୍ଡି କଲା ଘେରି ବନ୍ଧ ପାଇଁ ଦାନ

ରିଂରୋଡ ଦମ୍ଭ ବାଲିଯାତରାରେ ଉତ୍କଳୀୟ ସ୍ମୃତି ଗାନ।

ଅଭିନବ ବାରାଣାସି କଟକ ତା ଥିଲା ପୁରାତନ ନାମ

ସଂସ୍କୃତି ସଂସ୍କାର ହଜି ଯାଉଅଛି ଯଥା ତାରକସି କାମ।


ବୋହୁ ହେଉ କାଣୀ କଟକିଆଣୀ ସେ ବିଶାଳ ହୃଦୟ ତା'ର

ସାରା ଓଡିଶାର କ୍ଷୁଦ୍ର ସଂସ୍କରଣ ଭାଇଚାରା ମନ୍ତ୍ର ସାର।



Rate this content
Log in

Similar oriya poem from Abstract