STORYMIRROR

Mishra Manasi

Abstract Inspirational

4  

Mishra Manasi

Abstract Inspirational

ଜୀଵନ ଡଙ୍ଗା

ଜୀଵନ ଡଙ୍ଗା

1 min
415


ଭାସି ଭାସି ଯାଏ ଜୀବନ ଡଙ୍ଗାଟି

ସଂସାର ନଈର ଜଳେ

ଏ କୂଳୁ ସମୟ ଆହୁଲା ମାରୁଛି

ପହଁଚିବ ଆରକୂଳେ ।1।

କଷଣ ପେଷଣ ରୋଗ ଦୁଃଖ ଶୋକ

ବତାସୀ ବହୁଛି ଖର

ମଝି ନଈ ଜଳେ ଉବୁଟୁବୁ ହୁଏ

ପାଉନାହିଁ ଥଳକୂଳ ।2।

ମଙ୍ଗେ ମଙ୍ଗୁଆଳ ମଙ୍ଗଳା ମାଆଟି

ମଂଗଳ କାରିଣୀ ବୋଲି

ତା ପାଦେ ଭରସା କରି ସର୍ମପିଲି

ଏଇ ମୋ ଜୀବନ ତରୀ ।3।

ଜୀବ ଓ ପରମ ଦୁଇଟି ସୁଫଳ

ଆତ୍.ମା ପାଦପ ଡାଳେ

ଧର୍ମ ପୂଣ୍ୟ ବଳେ କର୍ମ ଭାଗ୍ୟବଳେ

ପରଂବ୍ରହ୍ମ ଭେଟ ମିଳେ ।4।

ଜନମର ନିଆଁ ମରଣର ନିଆଁ

ଦୁନିଆଁ ପରାଟି ଏଇ

ଏ ଦୁଇ ନିଆଁର ମଝିରେ ରହିଲା

ଜୀବନର ଚରା ଭୂଇଁ ।5।

ମୁଦ୍ରିତ ନୟନେ ପରମ ଦର୍ଶନେ

ମଗ୍ନଥିଲି ଜଠରରେ

କୁଆଁ ଡାକଦେଇ ସଂସାରେ ଆସିଲି

ପଡିଲି ମାୟା କବଳେ। 6।

ପୁଷ୍କରିଣୀ ଜଳେ ଚିଙ୍ଗୁଡ଼ିଆ ଦଳ

ଯେମନ୍ତେ ଆଚ୍ଛାଦି ଥାଇ

ଲୋଭ ମୋହ ମାୟା କପଟ କୁକର୍ମ

ଜୀବନେ ସେମନ୍ତେ ଥାଇ ।7।

ଅନ୍ଧ ଅହମିକା ବୁଢିଆଣି ଜାଲ

ଛନ୍ଦିଛି ସାରା ଜୀବନ

ପିଆଜ ଖୋଳପା ଛଡାଇ ଚାଲିଲେ

ଶେଷରେ ରହେଟି ଶୂନ ।8।

ସବୁ ମୋର ମୋର କହୁ ବାରବାର

ସ୍ୱାର୍ଥକୁ ସାରଥୀ କରି

କାଳ ଫାଶେ ଦିନେ ପଡିଯିବୁ ଧରା

କାନ୍ଦିବୁ ବସି ଗୁମୁରି ।9।

ନିଶ୍ୱାସ ପ୍ରଶ୍ଵାସ ଏକାଠି ହୋଇବ

ବହି ଅଣଚାଶ ବାଆ

ମାଟିପିଣ୍ଡ ଗୋଟି ମାଟିରେ ମିଶିଵ

ଉଡିଯିବ ପ୍ରାଣ ନାଆ ।10।

ଜୀଵନ ଯନ୍ତ୍ରଣା ଜଉଘରୁ ଯେବେ

ପାଇବୁ ତୁହି ମୁକତି

ମହତ ଆକାଂକ୍ଷୀ ମାର୍ଗେ ମାର୍ଗୀ ହୁଅ

ପାପ ପେଡିକୁ ସମାପ୍ତି ।11।

ଜୀବନ ନାଵରେ ନାବିକତ ଜଣେ

ଦୟାମୟ ସୃଷ୍ଟିକର୍ତ୍ତା

ବିଶ୍ବାସେ ତା ପଦେ ସମର୍ପି ନିଜକୁ

ପରିହର ସବୁଚିନ୍ତା ।12।

ଓହ୍ଲାଇ ଆସିବେ ସରଗ ଧାମରୁ

ଶାନ୍ତିରୂପୀ ଦେବଦୂତ

କୁସୁମିତ ହେବ ଚଲାପଥ ତଵ

ଲଭିବୁ ପରମ ପଦ ।13।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract