ଜୀବନ୍ତ ପାଷାଣ
ଜୀବନ୍ତ ପାଷାଣ
ଜରା ଜର୍ଜର ଜୀର୍ଣ୍ଣ ତୁମେ ଆଜି
ତଥାପି ଦାମ୍ଭିକ ହୃଦୟେ ତୁମର
ଐତିହ୍ଯ ସବୁ ଜୀବିତ ହୋଇ ରହିଛି ।
ପ୍ରତିଟି ଗାତ୍ରେ ପ୍ରତିଟି ଅନୁକୋଣେ
ଗୌରବ ଗାଥା ଆଜି ବି ଉଦ୍ଭାସିତ ହେଉଛି । ।
ଦେବତା ବିନା ଶୂନ୍ଯ ମନ୍ଦିରେ
ଦେବାଶିଷ ସଦା ଝରୁଛି
ବାର 'ଶ ଶିଳ୍ପୀର ନିହଣ ମୁନେ
ଖୋଦେଇ ସ୍ବର ଆଜି ବି ଶୁଭୁଛି
ବାର ବର୍ଷର କିଶୋରର ଦୃଢ ଶପଥ
ଆଜି ବି ହୃଦୟେ କଂପନ ଆଣୁଛି । ।
ନାଟ ମନ୍ଦିର ମୁଖଶାଳା ର ପ୍ରତିଟି ଶିଳା
ତୁମରି କାହାଣୀ କହୁଛି
ଧର୍ମପଦ ର ତ୍ଯାଗ ବଳିଦାନ କଥା
ସଭିଁଙ୍କ ହୃଦୟେ ଲିପିବଦ୍ଧ ହୋଇ ରହିଛି
ଚନ୍ଦ୍ରଭାଗା ବି ଏ ଯାବତ୍ ତୁମରି
କାହାଣୀର ସାକ୍ଷୀ ହୋଇ ରହିଛି ।
କିଏ ବା କହିବ ହେ କୋଣାର୍କ ତୁମକୁ ସତେ
ଜରା ଜୀର୍ଣ୍ଣ ଜର୍ଜର ଶରୀର ହୋଇଛି
ଆଜି ତୁମରି ପ୍ରତିଟି ପାର୍ଶ୍ଵେ
ନିର୍ଜୀବ ଶିଳା ସତେ ଅବା
ଜୀବିତ ହୋଇ ତୁମରି ପ୍ରତିଟି ଅଂଗ
ସୁନ୍ଦର ସୁଶୋଭିତ କରି ତୋଳିଛି ।
