STORYMIRROR

Pranati Jena

Inspirational

4  

Pranati Jena

Inspirational

ଜୀବନର ପୃଷ୍ଠା

ଜୀବନର ପୃଷ୍ଠା

1 min
247

ଛିନ୍ନବୀଣା ସୁରେ କରୁଣ ରାଗିଣୀ

 ଜୀବନ ପୃଷ୍ଠାକୁ ଦିଏ ଭିଜାଇ,

ମଳୟ ସମୀରେ ମମତାର ବାଣୀ

ଭାସିଆସେ କର୍ତ୍ତା,କାରଣ ହୋଇ....


ବେଳ, ଅବେଳରେ ଧାଇଁ ଯାଇଥାଏ

 ମାନସେ କଦମ୍ବ ଅବା ଯମୁନା,

 ମୃଗତୃଷ୍ଣାରେ ତୃଷାର୍ତ୍ତ ଅବୁଝା ଏ

 ପ୍ରାୟଶ୍ଚିତ ପାଇଁ କରି ପ୍ରାର୍ଥନା.....


ମୋ ନିରୀହ ପଣ ବିବଶ ପରାଣ

 ସହିବା ଶିଖାଇ ଦେଇଛ ଦୁଃଖ,

 ଜଟିଳ ଭିଡ଼ରୁ ହାତେ ହାତ ଜାଣ

 ପୃଷ୍ଠା ଭୁଲାଇଣ ଦେଇଛ ସୁଖ.....


ସବୁ ପରେ ହଜି ଦୂର କାହିଁ ସାଜି

 ବ୍ୟଥା,ବେଦନାକୁ ଦେଉଛ ଲେଖି,

ଅନୁଭବ ତଟେ ନ ପାଇ ଉଚ୍ଚାଟେ

କୋହ,ଲୁହେ ଭରା ସାକ୍ଷୀ ଏ ଆଖି......


ବୈଚିତ୍ର ବିତାନେ ସମ୍ପର୍କ ପ୍ରାଙ୍ଗଣେ

 ମୋ ପ୍ରାଣ ଆସ୍ଥାର ଆସ୍ଥାନେ ତୁହି,

ମୋ ନିଷ୍ଠା, ପ୍ରତିଷ୍ଠା ସବୁ ତୋର ଦାନେ

 ମୋର ବୋଲି କହି ପାରିବି ନାହିଁ......


ଅତୀତ, ଭବିଷ୍ୟ ତୋ ଭବ୍ୟ ସ୍ୱାଗତ

 ରହିଛି ସ୍ମୃତି ଲୁହରେ ସମଷ୍ଟି,

 ତୋ ମଧୁ ମୂର୍ଚ୍ଛନା ପ୍ରାଣର ଅର୍ଚ୍ଚନା

 ଭରେ ଶ୍ରଦ୍ଧା ଚକାଆଖିର ସୃଷ୍ଟି......


ଅସୁମାରୀ ଭାଷା ଅକଳନ୍ତି ବ୍ୟଥା

 ତୋ ବିହୁନେ ଧନ ସବୁ ଅସାର,

ତୁହି ମୋ ପ୍ରାରମ୍ଭ ତୁହି ମୋ ଆରମ୍ଭ

 ଗୋବିନ୍ଦ, ମାଧବ ହେ ଦାମୋଦର.....


ଅମଳିନ ଶ୍ରଦ୍ଧା ଅଲିଭା ସଳିତା

 ନିସ୍ତବ୍ଦ ରାତ୍ରି କରେ ଆନମନା,

ସତେକି ଆସୁଛୁ ଶବ୍ଦ ଶୁଭିଯାଏ

ବହଳ ନିଦ ମୋ ଜାଗ୍ରତେ ସିନା......


ତୋ ବିନା ଉଦାସୀ ଆହେ ବ୍ରହ୍ମରାଶି

 ନିନାଦ ବିନା କିଏ କୁଞ୍ଜବନ,

 ବଇଁଶୀର ସୁରେ ହଜୁନାହିଁ ଆଜି

 ଗୋଧୂଳି ଲଗନେ ମନ ଉଚ୍ଛନ୍ନ......


ଶୂନ୍ୟ ଜୀବନରେ ମନବଂଶୀ ସ୍ୱନେ

ଆସ ଯେବେ ହୃଦୟେ ନିରୋଳାରେ,

ନିରାଶ୍ରୟା ପ୍ରାଣ ପୁଲକିତ ଉଚ୍ଛ୍ୱାସେ

ଗୀତ ଗୋବିନ୍ଦ ମୁଁ ଶୁଣେ କର୍ଣ୍ଣରେ....


ନୀଳମେଘ ଧାରେ ସତେକି ଆସିବୁ

 ପୋଛିଦେବୁ ଧନ ନୟନୁ ଲୁହ,

ସତେଜ ହୋଇବ ଯମୁନା କୁଞ୍ଜବନୁ

 ହେ କଳାକାଞ୍ଚନ କେବେ ତୁ କହ......


ଜୟ ଜଗନ୍ନାଥ ମଣିମା ମୋର.....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational