ଜୀବନର ମନ୍ତ୍ର
ଜୀବନର ମନ୍ତ୍ର
କିଏ ଏଠି ପର ଅବା କେ' ଆପଣା
ଚଲାପଥ ସାଥି ଦୁଇ ଦିନର,
ମନ ଗଭୀରତା ମାପି ପାରେ ଯିଏ
ହୃଦୟରେ ସିଏ କରଇ ଘର ।
ଏଠି ଅବିଶ୍ବାସ ମିଛର ବଳୟ
ତଥାପି ବିଶ୍ଵାସ ରହିଛି ଚେଇଁ,
ନହେଲେ ମଣିଷ ବଞ୍ଚନ୍ତା କେମିତି
ଚାଲିବାକୁ ଅଣ୍ଟା ଭିଡ଼ନ୍ତା ନାହିଁ।
ଅଭିନେତା ଆଉ ଅଭିନେତ୍ରୀ ଭରା
ଜୀବନର ଏଇ ରଙ୍ଗମଞ୍ଚରେ,
ଅଭିନୟ ପୂର୍ଣ୍ଣ ନିଖୁଣ କଳାରେ
ସର୍ବେ ଚାଲିଛନ୍ତି ନିଜ ଇଚ୍ଛାରେ।
ଜୀବନରେ କିଛି ଥାଉ କି, ନଥାଉ
ବଞ୍ଚିବାର ମୋହ ଛାଡୁଛି କିଏ?,
ସମ୍ପର୍କରେ ମିଠା ଥାଉ ବା, ନଥାଉ
ସମ୍ପର୍କଠୁ ମୁହଁ ମୋଡୁଛି କିଏ?।
ସବୁ ନିରାଶରେ ଆଶାର କିରଣ
ଖୋଜି ପାଇଥାଏ ଯେଉଁ ମଣିଷ,
ଅଭିନୟ ଭରା ରଙ୍ଗମଞ୍ଚ ପ'ରେ
ସହଜେ ବଞ୍ଚେ ସେ,ରଖି ବିଶ୍ଵାସ।
ଛନ୍ଦମୟ ଏଇ ଜୀବନ ମୁହୂର୍ତ୍ତ
ସଜାଡ଼ି ପାରିଲେ ଲାଗେ ସୁନ୍ଦର ,
ବୁଝିବାକୁ ହେବ ଜୀବନର ମନ୍ତ୍ର
ନହେଲେ ଜୀବନ ହେବ ବେକାର।
