ଜୀବନର ଗତିପଥ
ଜୀବନର ଗତିପଥ
ଜୀବନକୁ ବ୍ୟବଛେଦ
କରିଚାଲେ ନିତି
ଦେଖିବା ପାଇଁକି ଥରେ
ଜୀବନର ଗତି ।
ଜୀବନ ଚଲାପଥରେ
ଯାହାକୁ ଭେଟିଛି
ସୁଖ, ଦୁଃଖ,ହସ କାନ୍ଦ
ସବୁ ପରଖିଛି ।
ପ୍ରେମ ପ୍ରୀତି ପ୍ରତାରଣା
ଦେଖିଛି ମୋ ଆଖି
ଜନ୍ମ ମୃତ୍ୟୁ ଜରା ବ୍ୟାଧି
ଆଖିରେ ଦେଖିଛି ।
ଦେଖିଛି ମୁଁ ସୂର୍ଯ୍ୟଙ୍କର
କଅଁଳ କିରଣ
ବଇଶାଖୀ ଝାଞ୍ଜିରେ ବି
ସିଝାଇଛି ମନ ।
ଭିଜିଛି ମୁଁ ଶ୍ରାବଣର
ମୁଷୁଳ ଧାରାରେ
ଥରିଛି ମୁଁ ପଉଷର
ଜାଡୁଆ ଶୀତରେ ।
ଫୁଲର କଅଁଳ ଦେହେ
ହଜାଇଛି ମନ
କାନରେ ବି ଶୁଣିଛି ମୁଁ
କେତେ କେତେ ଅଳିର ଗୁଞ୍ଜନ ।
ଦେଖିଛି ମୁଁ ମଣିଷର
ରକ୍ତମଖା ମୁହଁ
ଶୁଣିଛି ମୁଁ
ଧର୍ଷିତାର ବୁକୁଥରା କୋହ ।
ତଥାପି ପାରେନା ବୁଝି
ଜୀବନର ଗତି
ଆରମ୍ଭ ଏନ୍ତୁଡି ଶାଳୁ
ଶ୍ମଶାନରେ ଇତି ।
